ହାଇ ଭୋଲଟେଜ ମ୍ୟାଚ୍‌

ନୂଆଦିଲ୍ଲୀ: ପଡ଼ିଆରେ ପୁଣି ଦର୍ଶକ ଦେଖିବେ ହାଇ ଭୋଲଟେଜ ମ୍ୟାଚ । ହବ ପୁଣି ମହାମୁକାବିଲା । ଆଜି କ୍ରୀଡାପ୍ରେମୀ ଉପଭୋଗ କରିବେ ସୁପର ସଣ୍ଡେରେ ପୁଣି ଏକ ଦମଦାର ମ୍ୟାଚ । ଏସିଆକପରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ ଟିମ୍‌ ଇଣ୍ଡିଆ । ମାତ୍ର ୮ ଦିନ ମଧ୍ୟରେ ଦୁଇଦଳ ମଧ୍ୟରେ ଦେଖିବାକୁ ମିଳିବ କଡା ଟକ୍କର । ଏଥିପାଇଁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି ।

ଦୁବାଇରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଜିତି ଭାରତ ଫାଇନାଲ ଖେଳିବାକୁ ନିଜର ଦାବି ଦୃଢ କରିବ । ଟିମ୍‌ ଇଣ୍ଡିଆ ଏବେ ଚମତ୍କାର ଫର୍ମରେ ଅଛି । ବିଶେଷ କରି ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ୟ୍ୟ କୁମାର ଯାଦବ ଯେ କୌଣସି ଦଳକୁ ଅଡୁଆରେ ପକାଇ ପାରନ୍ତି । ସେପଟେ ଆହତ କାରଣରୁ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଦଳରୁ ବାଦ ପଡିଛନ୍ତି । ସେ ଆସନ୍ତା ଟି-ଟ୍‌ୱେଣ୍ଟି ବିଶ୍ୱକପରୁ ବି ବାଦ ପଡିବାର ଆଶଙ୍କା ରହିଛି । ଆହତ ସମସ୍ୟା ପାକିସ୍ତାନ ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିଛି । ଦ୍ରୁତ ବୋଲର ଶାହନାୱାଜ ଦହାନୀ ଦଳରୁ ବାଦ ପଡିଛନ୍ତି । ପୂର୍ବରୁ ଆହତ କାରଣରୁ ସାହିନ୍‌ ଅଫ୍ରିଦି ଓ ମହମ୍ମଦ ୱାସିମ୍‌ ଦଳରୁ ବାଦ ପଡିଛନ୍ତି ।

ଗତ ୨୮ ତାରିଖରେ ଖେଳାଯାଇଥିବା ମୁକାବିଲାରେ ଭାରତ ୫ ୱିକେଟ୍‌ରେ ବିଜୟୀ ହୋଇଥିଲା । ତେଣୁ ଲଗାତର ବିଜୟ ଧାରା ବଜାୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ରୋହିତ ବାହିନୀ । ସେପଟେ ପାକିସ୍ତାନ ପାଖରେ ପ୍ରଥମ ମ୍ୟାଚ୍‌ ପରାଜୟର ପ୍ରତିଶୋଧ ନେବାକୁ ସୁଯୋଗ ରହିଛି । ଆଜିର ସୁପର-୪ ମୁକାବିଲାରେ ଯିଏ ଜିତବ ସେହି ଦଳ ଫାଇନାଲ ଖେଳିବାର ନିକଟତର ହେବ ।

ଭାରତ, ପାକିସ୍ତାନ ସହ ଆଫଗାନିସ୍ତାନ ଓ ଶ୍ରୀଲଙ୍କା ସୁପର ଫୋରକୁ ଉନ୍ନୀତ ହୋଇଛନ୍ତି । ଆସନ୍ତା ୧୧ ତାରିଖରେ ଖେଳାଯିବ ଏସିଆ କପ୍‌ର ଫାଇନାଲ ମ୍ୟାଚ ।

Comments are closed.