ବାଲେଶ୍ବରରେ ବନ୍ୟା

ଭୁବନେଶ୍ୱର : ରାଜ୍ୟରେ ଲଘୁଚାପ ବର୍ଷା ପ୍ରଭାବରେ ସୁବର୍ଣ୍ଣରେଖା ଅବବାହିକାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୁବର୍ଣ୍ଣରେଖା ନଦୀରେ କୌଣସି ଘାଇ ହୋଇନଥିଲେ ମଧ୍ୟ ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକରେ ବନ୍ୟା ଜଳ ପ୍ରବେଶ କରିଛି । ଏପଟେ ଆଜି ସୁଦ୍ଧା ରାଜ୍ୟର ମୋଟ ୧୩ଟି ଜିଲ୍ଲାର ୭୮ଟି ବ୍ଲକ ଅନ୍ତର୍ଗତ ୬୪୫ଟି ପଂଚାୟତର ୨୪୮୯ଟି ଗାଁ ବନ୍ୟାରେ କ୍ଷତିଗ୍ରସ୍ତ । ଏଥିରୁ ୯୦୨ଟି ଗାଁର ୬ଲକ୍ଷ ୪୦ହଜାର ଲୋକ ଏବେବି ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ।
ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଆଜି ସମୀକ୍ଷା ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସୁବର୍ଣ୍ଣରେଖା ନଦୀରେ କୌଣସି ସ୍ଥାନରେ ଘାଇ ସୃଷ୍ଟି ହୋଇନାହିଁ । ଘାଇ ହେଲେ ବାଲି ବସ୍ତା ପ୍ରସ୍ତୁତ ରହିଛି । ୮ଘଂଟା ଧରି ସୁବର୍ଣ୍ଣରେଖା ନଦୀର ଜଳସ୍ତର ସ୍ଥିର ରହିଛି । ବସ୍ତା, ବାଲିଆପାଳ ସମେତ ତଳି ଅଂଚଳରେ ପାଣି ପଶିଛି । ଅନ୍ୟ ନଦୀଗୁଡ଼ିକରେ ବନ୍ୟା ଜଳ କମିବା ଆରମ୍ଭ ହୋଇଛି । ପରିସ୍ଥିତି ଉପରେ ନଜର ରଖାଯାଇଛି । ଯେହେତୁ ସୁବର୍ଣ୍ଣରେଖା ଅବବାହିକାରେ ଥିବା ଜିଲ୍ଲାଗୁଡ଼ିକ ପାଇଁ ଆଜି ଦିନଟି ଗୁରୁତ୍ୱପୂର୍ଣ୍ଣ, ତେଣୁ ସମସ୍ତେ ସଜାଗ ରହିଛନ୍ତି । ରାତ୍ରିକାଳୀନ ପାଟ୍ରୋଲିଂ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି ।
ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସୁବର୍ଣ୍ଣରେଖାର ଜାମଶୋଳ ଘାଟଠାରେ ଜଳସ୍ତର ୫୦.୪ ଓ ରାଜଘାଟଠାରେ ୧୧.୯୦ ରହିଛି । ଉଭୟ ସ୍ଥାନରେ ଜଳସ୍ତର ହ୍ରାସ ପାଉଛି । ବାଲେଶ୍ୱରର ତଳିଆ ଅଂଚଳରୁ ଆଜି ପ୍ରାୟ ୪୦ହଜାର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ।
ଏବେସୁଦ୍ଧା ରାଜ୍ୟର ୧୩ଟି ଜିଲ୍ଲା(ବାଲେଶ୍ୱର ସମେତ)ର ୭୮ଟି ବ୍ଲକର ୬୪୫ଟି ପଂଚାୟତର ୨୪୮୯ଟି ଗାଁ ବନ୍ୟାରେ ପ୍ରଭାବିତ ହୋଇଛି । ରାଜ୍ୟର ୯୦୨ଟି ଗାଁର ୬ଲକ୍ଷ ୪୦ହଜାର ଲୋକ ଏବେବି ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ବନ୍ୟାରେ ପ୍ରାୟ ୯ଲକ୍ଷ ୭୬ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଏହି ସବୁ ଅଂଚଳରେ ୪୪୦ଟି ରିଲିଫ କେନ୍ଦ୍ରରେ ୧.୭୧ଲକ୍ଷ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।

Comments are closed.