ଜାଣନ୍ତୁ କଣ ଏହି ହଳଦୀ ବୋର୍ଡ

ନୂଆଦିଲ୍ଲୀ,: କେନ୍ଦ୍ର ସରକାର ବୁଧବାର ଜାତୀୟ ହଳଦୀ ବୋର୍ଡ ଗଠନକୁ ମଞ୍ଜୁରି ଦେଇଛନ୍ତି । ଏ ସଂକ୍ରାନ୍ତରେ ସରକାରୀ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବୋର୍ଡ ଦେଶର ହଳଦୀ ଏବଂ ହଳଦୀ ଜାତ ସାମଗ୍ରୀର ବିକାଶ ତଥା ଅଭିବୃଦ୍ଧି ପାଇଁ କାମ କରିବ । ଜାତୀୟ ମସଲା ବୋର୍ଡ ଓ ଅନ୍ୟାନ୍ୟ ସରକାରୀ ସଂସ୍ଥା ସହ ସମନ୍ୱୟ ରକ୍ଷା କରି ହଳଦୀର ବ୍ୟବହାର ଏବଂ ବିକ୍ରି ବୃଦ୍ଧି ଲାଗି ବୋର୍ଡ କାର୍ଯ୍ୟ କରିବ ।

ଏବେ ସମଗ୍ର ବିଶ୍ୱରେ ହଳଦୀର ବ୍ୟବହାର ଏବଂ ଉପାଦେୟତା ବଢ଼ାଇବାକୁ ପ୍ରଚୁର ସୁଯୋଗ ରହିଛି । ତେଣୁ ଉଭୟ ଦେଶ ଏବଂ ବିଦେଶରେ ହଳଦୀ ଓ ହଳଦୀ ଜାତ ସାମଗ୍ରୀର ବ୍ୟବହାର ତଥା ଏ ସଂକ୍ରାନ୍ତରେ ସଚେତନତା ବୃଦ୍ଧି କାମ ମଧ୍ୟ ବୋର୍ଡ କରିବ । ହଳଦୀର ନୂଆ ଉତ୍ପାଦ ବିକଶିତ କରିବାକୁ ଜାତୀୟ ବୋର୍ଡ ପ୍ରୋତ୍ସାହିତ କରିବ । ନିର୍ଦ୍ଦିଷ୍ଟ ଭାବେ ଏହା ହଳଦୀ ଚାଷୀଙ୍କ ଦକ୍ଷତା ବିକାଶ ଓ ହଳଦୀର ଉତ୍ପାଦନ ବୃଦ୍ଧିରେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବ । ହଳଦୀ ବ୍ୟବହାର ଏବଂ ରପ୍ତାନୀରେ ଭାରତ ବିଶ୍ୱରେ ଏକ ନମ୍ବର । ୨୦୨୨-୨୩ରେ ଭାରତରେ ୩.୨୪ ଲକ୍ଷ ହେକ୍ଟର ଜମିରେ ହଳଦୀ ଚାଷ କରାଯାଇଥିଲା । ସେହି ବର୍ଷ ଉତ୍ପାଦିତ ହଳଦୀର ପରିମାଣ ଥିଲା ୧୧.୬୧ ଲକ୍ଷ ଟନ୍‌ । ଏହା ବିଶ୍ୱର ମୋଟ ହଳଦୀ ଉତ୍ପାଦନର ୭୫ ଭାଗରୁ ଅଧିକ ।

ନବଗଠିତ ହଳଦୀ ବୋର୍ଡ ତାହାର କାର୍ଯ୍ୟକୁ ତ୍ୱରାନ୍ୱିତ କରି ୨୦୩୦ ସୁଦ୍ଧା ଭାରତରୁ ୧ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ହଳଦୀ ଏବଂ ହଳଦୀଜାତ ସାମଗ୍ରୀ ରପ୍ତାନୀ କରିବାକୁ ଆଶା ରଖିଛି । ଏହି ବୋର୍ଡର ଅଧ୍ୟକ୍ଷଙ୍କୁ କେନ୍ଦ୍ର ସରକାର ନିଯୁକ୍ତ କରିବେ । ଏହାର ସଦସ୍ୟ ଭାବେ ଆୟୁଷ, ଭେଷଜ, କୃଷି ଓ କୃଷକ କଲ୍ୟାଣ ପ୍ରତିନିଧିଙ୍କୁ ନିଯୁକ୍ତି ଦିଆଯିବ ।

Comments are closed.