ଜାଣନ୍ତୁ ଖାଦ୍ୟରେ ଅଧିକ ଲୁଣ ଖାଇଲେ କଣ ହାନି ହୁଏ
ଯେଉଁମାନେ ଭୋଜନ ସମୟରେ ଅତିରିକ୍ତ ଲୁଣ ବ୍ୟବହାର କରନ୍ତି, ୭୫ ବର୍ଷ ବୟସ ପୂର୍ବରୁ ସେମାନଙ୍କ ମୃତ୍ୟୁ ଆଶଙ୍କା ୨୮ ପ୍ରତିଶତ ଅଧିକ ଜଣାପଡ଼ିଲା । ଭୋଜନରେ ଅତିରିକ୍ତ ଲୁଣ ଖାଇବା ଦ୍ୱାରା ରକ୍ତରେ ଜଳ ଧାରଣ ଆଶଙ୍କା ବଢ଼େ । ଫଳରେ ରକ୍ତ ବାହିକା ଉପରେ ଚାପ ପଡ଼େ ଏବଂ ରକ୍ତ ଚାପ ବୃଦ୍ଧିପାଏ । ଏହା ହୃଦ୍ଘାତ କିମ୍ବା ଷ୍ଟ୍ରୋକ୍ ଆଶଙ୍କା ବଢ଼ାଏ । ହୃଦ୍ରୋଗ ଓ ଷ୍ଟ୍ରୋକ୍ ଏବେ ମୃତ୍ୟୁର ସବୁଠୁ ବଡ଼ କାରଣ ହୋଇଛି, ଯାହା ବିଶ୍ୱରେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ । ଆମେରିକା ଭଳି ଦେଶରେ ଏହି ମୃତ୍ୟୁ ଆଶଙ୍କା ୫ ଗୁଣ ଅଧିକ ।
ବିଶେଷଜ୍ଞଙ୍କ ସୂଚନା ଅନୁସାରେ, ବୟସ୍କମାନେ ଦିନକୁ ୬ ଗ୍ରାମ୍ରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ । ପିଲାମାନେ ତା’ଠୁ କମ୍ ଖାଇବା ଜରୁରୀ । ଲୁଣ ଆମ ଖାଦ୍ୟରେ ରହିଛି, କିନ୍ତୁ ଲୋକେ ଜାଣି ବି ଅତିରିକ୍ତ ଲୁଣ ଖାଉଛନ୍ତି । ବ୍ରିଟିଶ୍ ହାର୍ଟ ଫାଉଣ୍ଡେସନ୍ର କ୍ଲୋ ମ୍ୟାକ୍ଆର୍ଥର କହିଛନ୍ତି, ଖାଦ୍ୟରେ ଲୁଣ ଆବଶ୍ୟକ । କିନ୍ତୁ ଅତ୍ୟଧିକ ଲୁଣ ଉଚ୍ଚ ରକ୍ତଚାପର କାରଣ ହୋଇଥାଏ, ଯାହା ପରେ ହୃଦ୍ଘାତ ଓ ଷ୍ଟ୍ରୋକ୍ ଆଶଙ୍କା ବଢ଼ାଏ । ତେଣୁ ଖାଦ୍ୟରେ ଲୁଣ ମିଶାଇବା ଉପରେ ଲୋକେ ସର୍ବଦା ଯତ୍ନଶୀଳ ହେବା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ତା’ଛଡ଼ା ସାଧାରଣ ଲୁଣ ଅପେକ୍ଷା ସ୍ୱାସ୍ଥ୍ୟକର ଲୁଣ ଚୟନ କରିବା ଉଚିତ, ଯେଉଁଥିରେ ସୋଡିୟମ୍ ମାତ୍ରା କମ୍ ଓ ପୋଟାସିୟମ୍ ଅଧିକ ରହିଛି । ଏବେ ଏହି ଲୁଣ ସହଜରେ ମିଳୁଛି ।
ଗବେଷଣାରେ ଭାଗ ନେଇଥିବା ଲୋକଙ୍କୁ ପ୍ରଥମେ ପ୍ରତି ଥର ଖାଦ୍ୟରେ ବ୍ୟବହାର କରୁଥିବା ଅତିରିକ୍ତ ଲୁଣର ମାତ୍ରା ବିଷୟରେ ପଚରାଯାଇଥିଲା । ଗବେଷଣାର ହାରାହାରି ୯ ବର୍ଷ ମଧ୍ୟରେ ୧୮,୪୭୪ ଅପମୃତ୍ୟୁ (୭୫ ବର୍ଷରୁ କମ୍) ମାମଲା ରେକର୍ଡ କରାଯାଇଥିଲା । ପ୍ରତି ୧୦୦ ଜଣଙ୍କ ମଧ୍ୟରେ ୪୦-୬୯ ବର୍ଷ ବୟସର ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ଏଥିରୁ ଗବେଷକମାନେ ଜାଣିବାକୁ ପାଇଲେ, ଖାଦ୍ୟରେ ବ୍ୟବହାର କରୁଥିବା ଅତିରିକ୍ତ ଲୁଣ ବ୍ୟକ୍ତିର କମ୍ ବୟସରେ ପ୍ରାଣ ହରାଇବାର ପ୍ରମୁଖ କାରଣ ହୋଇପାରେ । ଖାଦ୍ୟରେ ଅତିରିକ୍ତ ଲୁଣ ବ୍ୟବହାର କରୁଥିବା ୫୦ ବର୍ଷୀୟ ପୁରୁଷ ଓ ମହିଳାଙ୍କ ଆୟୁଷ ଯଥାକ୍ରମେ ୧.୫ ଓ ୨.୩ ବର୍ଷ ହ୍ରାସ ପାଇଥିଲା । ଯେଉଁମାନେ ଅଧିକାଂଶ ଫଳ ଓ ପରିବା ଖାଇଥିଲେ, ସେମାନଙ୍କ ଅପମୃତ୍ୟୁ ମାତ୍ରା ଟିକିଏ ହ୍ରାସ ପାଇଥିବା ବୈଜ୍ଞାନିକମାନେ ଲକ୍ଷ୍ୟ କଲେ।
Comments are closed.