ଗିରଫ ହେଲେ ନକଲି ଆରଟିଓ ଅଧିକାରୀ

ବରଗଡ଼- ଜାତୀୟ ରାଜପଥରେ ଯାଉଥିବା ଗାଡ଼ିକୁ ଅଟକାଇ ନିଜକୁ ଆରଟିଓ ଅଧିକାରୀ ବୋଲି ପରିଚୟ ଦେଇ ଟଙ୍କା ଆଦାୟ କରୁଥିଲେ। ଶେଷରେ ପୁଲିସ ହାବୁଡ଼ରେ ଧରା ପଡିଛନ୍ତି ଏହି ବ୍ୟକ୍ତି ଜଣକ । ତାଙ୍କ ନିକଟରୁ ନକଲି ବନ୍ଧୁକ, ଦୁଇଟି ମୋବାଇଲ ଓ ଗୋଟିଏ ବାଇକ୍ ଜବତ କରାଯାଇଛି | ଗିରଫ ନକଲି ଆରଟିଓ ଜଣଙ୍କ ହେଲେ ବିକ୍ରମ ବେହେରା। ଅଭିଯୋଗ ଅନୁସାରେ ବରଗଡ଼ ଜାତୀୟ ରାଜପଥର ଟୋଲଗେଟ ନିକଟରେ ଏକ ଟ୍ରକ୍‌କୁ ଅଟକାଇ ବିକ୍ରମ ୨୩ହଜାର ୪୦୦ ଟଙ୍କା ଚାଲାଣ କାଟି ଥିଲେ। ଟ୍ରକ୍ ମାଲିକ ଟଙ୍କା ଦେବାକୁ ଅମଙ୍ଗ ହେବାରୁ ନକଲି ବନ୍ଧୁକ ଦେଖାଇ ତାଙ୍କ ପାଖରୁ ୫ ହଜାର ଟଙ୍କା ଆଦାୟ କରିଥିଲେ। ଅବଶିଷ୍ଟ ଟଙ୍କା ତାଙ୍କ ଆକାଉଣ୍ଟରେ ଜମା କରିବାକୁ କହିଥିଲେ ଏବଂ ଟ୍ରକ୍‌ମାଲିକଙ୍କୁ ନିଜ ମୋବାଇଲ ନମ୍ବର ଦେଇଥିଲେ। ଏହା ପରେ ଉକ୍ତ ଟ୍ରକ ମାଲିକ ଜଣଙ୍କ ଜଣେ ପରିବହନ ଅଧିକାରୀଙ୍କୁ ବାଟରେ ଭେଟିଥିଲେ। ତାଙ୍କୁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ କହିଥିଲେ ତେବେ ଯୋଜନା ମୁତାବକ ଟ୍ରକ୍ ମାଲିକ ଅଧିକ ଟଙ୍କା ଦେବାକୁ ବିକ୍ରମକୁ ଫୋନ୍ କରି ଏକ ସ୍ଥାନକୁ ଡାକିଥିଲେ। ଟଙ୍କା ନେବାକୁ ବିକ୍ରମ ଆସିବାରୁ ପୁଲିସ୍‌ ଓ ଆରଟିଓ ଅଧିକାରୀ ତାଙ୍କୁ କାବୁ କରିଥିଲେ। ପୂର୍ବରୁ ମଧ୍ୟ ବିକ୍ରମ ନିଜକୁ ଆରଟିଓ ଅଧିକାରୀ କହି ଅନେକ ଲୋକଙ୍କ ଠାରୁ ଟଙ୍କା ଲୁଟି ଥିବା ଜଣାପଡ଼ିଛି ।

Comments are closed.