ଚିକିତ୍ସା ଉପରେ ଗୁରୁତ୍ବ ଦେବା ସରକାରଙ୍କ ପ୍ରଥମ କାମ,, ମୋଦି

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସ୍ୱାସ୍ଥ୍ୟ ଓ ଚିକିତ୍ସା ଗବେଷଣା’ ଉପରେ ଆଧାରିତ ଏକ ବଜେଟ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି। ୨୦୨୩ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିବା ଯୋଜନା ଓ କାର୍ଯ୍ୟକ୍ରମକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଲାଗି ମତାମତ ଓ ପରାମର୍ଶ ଲୋଡ଼ିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଆୟୋଜିତ ୧୨ଟି ବଜେଟ୍‌ ପରବର୍ତ୍ତୀ ୱେବିନାର ମଧ୍ୟରୁ ଏହା ନବମ।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶରେ ସ୍ୱାସ୍ଥ୍ୟସେବାକୁ କୋଭିଡ ମହାମାରୀ ପୂର୍ବ ଏବଂ ପରବର୍ତ୍ତୀ ବ୍ୟବସ୍ଥା ଭାବେ ଦେଖାଯିବା ଉଚିତ। ମହାମାରୀ ସବୁଠୁ ସମୃଦ୍ଧ ଦେଶର ମଧ୍ୟ ପରୀକ୍ଷା ନେଇଥିଲା। ମହାମାରୀ କାରଣରୁ ବିଶ୍ୱସ୍ତରରେ ସ୍ୱାସ୍ଥ୍ୟସେବା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। ଆମେ ବିଶ୍ୱ ଆଗରେ ‘ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ’ର ଲକ୍ଷ୍ୟ ରଖିଛୁ। ଏଥିରେ ସମ୍ପୂର୍ଣ୍ଣ ଜୀବଜଗତ- ମଣିଷ, ପଶୁ ଓ ପୃଥିବୀ ପାଇଁ ଏକ ସାମଗ୍ରିକ ସ୍ୱାସ୍ଥ୍ୟସେବା ସାମିଲ ରହିଛି ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଚିକିତ୍ସାକୁ ଶସ୍ତା ଓ ସୁଲଭ କରିବା ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ହୋଇ ରହିଆସିଛି। ଆୟୁଷ୍ମାନ ଭାରତ ଯୋଜନାରେ ଗରିବ ଲୋକଙ୍କୁ ମାଗଣା ଚିକିତ୍ସା ମିଳିବା କାରଣରୁ ସେମାନଙ୍କର ୮୦ ହଜାର କୋଟି ଟଙ୍କାରୁ ଅଧିକ ସଞ୍ଚୟ ହୋଇଛି। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ମାର୍ଚ୍ଚ ୭ ତାରିଖରେ ଜନ ଔଷଧି ଦିବସ ପାଳନ କରାଯିବ। ଦେଶରେ ଏବେ ୯ ହଜାର ଜନ ଔଷଧି କେନ୍ଦ୍ର ଜରିଆରେ ଶସ୍ତା ଦରରେ ଲୋକଙ୍କୁ ଔଷଧ ଯୋଗାଇ ଦିଆଯାଉଛି। ଏହାଦ୍ୱାରା ସାରା ଦେଶର ଗରିବ ଓ ମଧ୍ୟବିତ୍ତ ଲୋକଙ୍କର ପ୍ରାୟ ୨୦ ହଜାର କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଏହାର ଅର୍ଥ ହେଉଛି କେବଳ ଏହି ଦୁଇଟି ଯୋଜନା ନାଗରିକମାନଙ୍କର ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ସଞ୍ଚୟ କରିପାରିଛି।

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମାନବ ସମ୍ବଳ ସୃଷ୍ଟି ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ କିଛି ବର୍ଷ ମଧ୍ୟରେ ଦେଶରେ ୨୬୦ରୁ ଅଧିକ ନୂଆ ମେଡ଼ିକାଲ କଲେଜ ଖୋଲାଯାଇଛି। ଫଳରେ ୨୦୧୪ ତୁଳନାରେ ଡାକ୍ତରୀ ସ୍ନାତକ ଏବଂ ସ୍ନାତକୋତ୍ତର ସିଟ୍‌ ସଂଖ୍ୟା ଦୁଇଗୁଣା ବୃଦ୍ଧି ପାଇଛି। ଚଳିତ ବର୍ଷର ବଜେଟରେ ନର୍ସିଂ କ୍ଷେତ୍ର ପ୍ରତି ଗୁରୁତ୍ୱାରୋପ କରାଯାଇଛି। ମେଡ଼ିକାଲ କଲେଜ ନିକଟରେ ୧୫୭ଟି ନୂଆ ନର୍ସିଂ କଲେଜ ଖୋଲାଯିବାର ନିଷ୍ପତ୍ତି ସ୍ୱାସ୍ଥ୍ୟ ସେବା ମାନବ ସମ୍ବଳ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ।

Leave A Reply

Your email address will not be published.