ଆଜି ରାଜସ୍ଥାନରେ ନିର୍ବାଚନ, ଭୋଟରଙ୍କ ହାତରେ ପ୍ରାର୍ଥୀଙ୍କ ଭାଗ୍ୟ

ଜୟପୁର: ରାଜସ୍ଥାନ ବିଧାନସଭା ପାଇଁ ଆଜି ( ଶନିବାର) ମତଦାନ ଆରମ୍ଭ ହୋଇଛି । ୨୦୦ ଆସନ ବିଶିଷ୍ଟ ବିଧାନସଭାରେ ୧୯୯ଟି ଆସନରେ ଭୋଟଗ୍ରହଣ ହେବ। ଶ୍ରୀଗଙ୍ଗାନଗରର କରନପୁର ଆସନରେ କଂଗ୍ରେସ ପ୍ରାର୍ଥୀ ଗୁରମିତ ସିଂହ କୁନରଙ୍କ ମୃତ୍ୟୁ ଯୋଗୁ ସେଠାରେ ନିର୍ବାଚନ ସ୍ଥଗିତ ରହିଛି। ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ। ଗୁରୁବାର ରାଜ୍ୟରେ ନିର୍ବାଚନ ପ୍ରଚାର ଶେଷ ହୋଇଛି। ଏଠାରେ ମୁଖ୍ୟତଃ ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନା ଉପରେ ନିର୍ଭର କରି କଂଗ୍ରେସ ନିର୍ବାଚନୀ ବୈତରଣୀ ପାର୍‌ କରିବାକୁ ନିର୍ଭର କରୁଥିବାବେଳେ ବିଜେପି କଂଗ୍ରେସର ଦୁର୍ନୀତି ଏବଂ ତୁଷ୍ଟୀକରଣ ରାଜନୀତିକୁ ଟାର୍ଗେଟ କରିଛି। ଭୋଟଗ୍ରହଣ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି।

ରାଜ୍ୟରେ ୫୧,୭୫୬ ପୋଲିଂ ବୁଥ୍‌ ସ୍ଥାପନ ହୋଇଛି। ରାଜ୍ୟର ମୋଟ ୫୨,୫୩୮,୬୫୯ ଜଣ ଭୋଟରଙ୍କ ମଧ୍ୟରୁ ୨୭,୩୫୮,୯୬୫ ପୁରୁଷ ଏବଂ ୨୫,୧୭୯,୬୯୪ ଜଣ ମହିଳା ଭୋଟର। ୧୯୯ ଆସନରେ ୧୮୬୨ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି। ଗତ ୨୫ ବର୍ଷ ହେଲା ରାଜସ୍ଥାନରେ ପ୍ରତି ୫ ବର୍ଷରେ ଥରେ ସରକାର ବଦଳୁଛି। କିନ୍ତୁ ଏଥର ଏହି ଧାରାରେ ପରିବର୍ତ୍ତନ ଆଣି କଂଗ୍ରେସ ଶାସନ କ୍ଷମତାକୁ ବଜାୟ ରଖିବା ଆଶା ରଖିଛି। ବର୍ତ୍ତମାନ କଂଗ୍ରେସର ୧୦୭ ବିଧାୟକ ଥିବାବେ‌ଳେ ବିଜେପିର ୭୦, ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟିର ୩ ଜଣ, ସିପିଏମ ଏବଂ ଭାରତୀୟ ଟ୍ରାଇବାଲ ପାର୍ଟିର ୨ ଜଣ ଲେଖାଏଁ, ରାଷ୍ଟ୍ରୀୟ ଲୋକ ଦଳର ଜଣେ ଏବଂ ୧୩ ଜଣ ସ୍ବାଧୀନ ବିଧାୟକ ଅଛନ୍ତି। ଉଦୟପୁର ଏବଂ କରନପୁର ଆସନ ଖାଲି ପଡ଼ିଛି।

Comments are closed.