ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ଇଡି

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ପଶିଲା ଇଡି। ସୋରେନ୍‌ଙ୍କ ରାଞ୍ଚିସ୍ଥିତ ବାସଭବନରେ ପଶିଛି ଇଡି ଟିମ୍‌। ଶାନ୍ତିଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଥିସହ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଅଧିକ ଫୋର୍ସ ଯୋଗାଇ ଦେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଝାଡ଼ଖଣ୍ଡ ସରକାରଙ୍କୁ ଚିଠି ଲେଖିଛନ୍ତି।

ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନ୍‌ଙ୍କୁ ଲଗାତର ୯ ଥର ସମନ ଜାରି କରିବା ପରେ ବି ସେ ଇଡିକୁ ଧରାଛୁଆଁ ଦେଉ ନ ଥିଲେ। ଶେଷରେ ଆଜି ଇଡି ଟିମ୍‌ ସୋରେନ୍‌ଙ୍କୁ ପଚରାଉଚରା ପାଇଁ ଅପରାହ୍ନ ୧ଟାରେ ତାଙ୍କ ବାସଭବନରେ ପହଞ୍ଚିବ ବୋଲି ଜଣାଯାଇଥିଲା। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ, ଇଡି ଟିମ୍‌ ସୋରେନ୍‌ଙ୍କ ବାସଭବନରେ ପ୍ରବେଶ କରିଛି।

ଏହି ସମୟରେ ସୋରେନ୍‌ଙ୍କ ହଜାର ହଜାର ସମର୍ଥକ ତାଙ୍କ ବାସଭବନ ବାହାରେ ଭିଡ଼ ଜମାଇଛନ୍ତି। ଆଜି ସୋରେନ୍‌ଙ୍କ ଗିରଫଦାରୀ ଆଶଙ୍କା ଥିବାରୁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରାଯାଉଛି।

ଆଜି ଇଡି କାର୍ଯ୍ୟାଳୟରୁ ୧୫ଟି କାର୍‌ ସୋରେନ୍‌ଙ୍କ ବାସଭବନ ଅଭିମୁଖେ ଯାଇଥିବା ଜଣାଯାଇଛି। ଯେକୌଣସି ସମୟରେ ଉତ୍ତେଜନା ସୃଷ୍ଟି ହେବା ଆଶଙ୍କାରେ ଇଡି ଟିମ୍‌ କାର୍‌ରେ ହେଲମେଟ୍‌ ନେଇ ଯାଇଥିବା ଦେଖିବାକୁ ମିଳିଛି। କଡ଼ା ସୁରକ୍ଷା ବଳୟରେ ଇଡି ଟିମ୍‌ ସିଏମ୍‌ ହାଉସ୍‌ରେ ପହଞ୍ଚି ସାରିଛନ୍ତି। ଅତ୍ୟଧିକ ସୁରକ୍ଷା ଯୋଗାଇବାକୁ ଇଡି ନିର୍ଦ୍ଦେଶକ ରାଜ୍ୟ ସରକାରଙ୍କୁ ପତ୍ର ଲେଖିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ୩ଟି ଟିମ୍‌ ଗଠନ କରାଯାଇଛି।

Comments are closed.