ପୁଣି ଜାତିସଂଘରେ ମୁହାଁମୁହିଁ ହେଲେ ଭାରତ ଓ ପାକିସ୍ତାନ

ନୂଆଦିଲ୍ଲୀ:ମିଳିତ ଜାତିସଂଘର ସାଧରଣ ପରିଷଦ ବୈଠକରେ ରୁଷ-ୟୁକ୍ରେନ୍ ଯୁଦ୍ଧ ବିଷୟରେ ଆଲୋଚନା ଚାଲିଥିଲା । ଏହି ସମୟରେ କଶ୍ମୀର ପ୍ରସଙ୍ଗ ଉଠାଇଥିଲା ପାକିସ୍ତାନ। ପାକିସ୍ତାନୀ କୂଟନୀତିଜ୍ଞ ମୁନିର ଅକ୍ରମ ଲାଗାତର ଭାବେ ରୁଷ-ୟୁକ୍ରେନ୍‌ର ଯୁଦ୍ଧକୁ କଶ୍ମୀରର ସ୍ଥିତି ସହ ତୁଳନା କରିଥିଲେ। ଏଥିରେ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କମ୍ବୋଜ ପାକିସ୍ତାନ ଉପରେ ପ୍ରବଳ ବର୍ଷିଥିଲେ। ଏଥିସହ ତାକୁ କଡା ଭାଷାରେ ନିନ୍ଦା ମଧ୍ୟ କରିଥିଲେ।

ସେ କହିଥିଲେ ‘ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ରୁଷ-ୟୁକ୍ରେନ ଯୁଦ୍ଧ ଭଳି ଗୁରୁତର ପ୍ରସଙ୍ଗ ଉପରେ ଆଲୋଚନା ଚାଲିଛି। ତେବେ ପୁର୍ନବାର ଜଣେ ପ୍ରତିନିଧିମଣ୍ଡଳ ଦ୍ୱାରା ଏହି ମଞ୍ଚର ଅପବ୍ୟବହାର କରାଯାଇଛି। ମୋ ଦେଶ ବିରୋଧରେ ଅର୍ଥହୀନ ଓ ତୁଚ୍ଛ ମନ୍ତବ୍ୟ ଦିଆଯାଇଛି ।’

ସେ ଆହୁରି କହିଥିଲେ, ‘ବାରମ୍ବାର ମିଛ କହି ସହାନୁଭୂତି ପାଇବାକୁ ଚେଷ୍ଟା କରାଯାଇଛି । କିନ୍ତୁ କୌଣସି ଲାଭ ନାହିଁ । ଜମ୍ମୁ-କଶ୍ମୀରର ସମଗ୍ର ଅଞ୍ଚଳ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଏହା ଭାରତଠାରୁ କେବେବି ଭିନ୍ନ ହୋଇପାରିବ ନାହିଁ । ଆମେ ପାକିସ୍ତାନକୁ ଆତଙ୍କବାଦ ରୋକିବାକୁ ଆହ୍ୱାନ କରୁଛୁ । କିନ୍ତୁ ଏକ୍ଷେତ୍ରରେ ପଡୋଶୀ ଦେଶ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ।’

ଉଲ୍ଲେଖଯୋଗ୍ୟ, ରୁଷ ଦ୍ୱାରା ୟୁକ୍ରେନର ୪ଟି ଅଞ୍ଚଳ ଦଖଲ ପରେ ଜାତିସଂଘରେ ଏକ ନିନ୍ଦା ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ଏହି ପ୍ରସ୍ତାବ ସପକ୍ଷରେ ୧୪୩ ସଦସ୍ୟ ମତଦାନ କରିଥିଲେ।

Comments are closed.