ବଲାଙ୍ଗୀର : ଲୁଟେରା ଗ୍ୟାଙ୍ଗକୁ କାବୁ କଲା ଦେଓଗାଁ ପୋଲିସ

ବଲାଙ୍ଗିର, ରବି ଚାନ୍ଦ ଏବଂ ସୁଜାତା ମିଶ୍ର : ଦେଓଗାଁ ପୋଲିସକୁ ସଫଳତା । ରାସ୍ତାରେ ଲୋକଙ୍କୁ ଲୁଟ କରୁଥିବା ତଥା ବାଇକ ଚୋରୀ କରୁଥିବା ଗ୍ୟାଙ୍ଗକୁ କାବୁ କରିଛି ଦେଓଗାଁ ପୋଲିସ । ଗତ ଅକ୍ଟୋବର ୨୮ ତାରିଖରେ ତରଭା ଥାନା ଅର୍ନ୍ତଗତ ବନ୍ଧକେଡା ଗାଁର ମାଇକ୍ରୋଫାଇନାନ୍ସ କଂପାନୀର ଫିଲ୍ଡ ଅଫିସର ଯୋଗେଶ୍ୱର ନନ୍ଦ ଋଣ ଟଙ୍କା ଅସୁଲି କରି ଫେରୁଥିଲେ । ଦେଓଗାଁ ଥାନା ଦେଷଣ୍ଡ ଗାଁ ନିକଟରେ ଏକ ପଲସର ବାଇକରେ ଲୁଟେରା ମାନେ ଆସି ଯୋଗେଶ୍ୱରଙ୍କ ଠାରୁ ୪୭ ହଜାର ୬୨୭ ଟଙ୍କା ଏବଂ ମୋବାଇଲ ଲୁଟ କରି ଫେରାର ମାରିଥିଲେ । ଦେଓଗାଁ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଥିଲା । ଏହି ଲୁଟ ଘଟଣାରେ ପୋଲିସ ପାଂଚ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୫ ଟି ମୋବାଇଲ, ଗୋଟିଏ ସେମସଙ୍ଗ ଟ୍ୟାବଲେଟ, ବାଇକ ଏବଂ ୫୩୭୦ ଟଙ୍କା ଜବତ କରିଥିଲା । ତଦନ୍ତ ସମୟରେ ଜବତ ହୋଇଥିବା ବାଇକଟି ଚୋରା ବାଇକ ବୋଲି ଜାଣିବାକୁ ପାଇଥିଲା ପୋଲିସ । ତେଣୁ ବାଇକ ଚୋରୀକୁ ନେଇ ବନ୍ଧଫଣ୍ଡା ଫାଣ୍ଡି ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ବାଇକ ଚୋରୀ ଅଭିଯୋଗରେ ଆଗରୁ କାବୁ କରାଯାଇଥିବା ପାଂଚ ଜଣ ଏବଂ ଆଉ ଦୁଇ ଜଣଙ୍କୁ ଗିରଫ କରିଥିଲା ପୋଲିସ । ସେମାନଙ୍କ ଠାରୁ ୧‍୧ ଟି ଚୋରା ବାଇକ ଜବତ କରିଛି ଦେଓଗାଁ ପୋଲିସ । ଲୁଟ ଏବଂ ବାଇକ ଚୋରୀ ଅଭିଯୋଗରେ ସାତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଦେଓଗାଁ ପୋଲିସ । ଗିରଫ ସମସ୍ତେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଂଚଳର ବୋଲି ଜଣାପଡିଛି ।

Comments are closed.