କେଜ୍ରିୱାଲଙ୍କ ଉପରେ ବର୍ଷିଲେ କୋର୍ଟ

ଜେଲ୍‌ରେ ରହି ବି ଶାସବ କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ନିଜ ପଦ ଛାଡ଼ିବାର ପ୍ରଶ୍ନ ଉଠୁନି। ’ ଆପ୍‌ ପକ୍ଷରୁ ହେଉଥିବା ଏପରି ଦାବିକୁ ଭର୍ତ୍ସନା କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ମୁଖ୍ୟମନ୍ତ୍ରୀ ଜେଲ୍‌ରେ ବନ୍ଦ ଥିବା ବେଳେ ବିଭିନ୍ନ ସରକାରୀ କାର୍ଯ୍ୟ ଅଟକି ରହୁଥିବାରୁ ଏହାକୁ କଡ଼ା ସମାଲୋଚନା କରିଛନ୍ତି ବିଚାରପତି। ଏପରିକି ରାଷ୍ଟ୍ର ହିତଠୁ କେଜ୍ରିୱାଲ ବ୍ୟକ୍ତିଗତ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଥିବା କହିଛନ୍ତି କୋର୍ଟ। କେତେ କ୍ଷମତା ହେଲେ ସେ ଖୁସି ହୋଇ ପାରିବେ ବୋଲି ବି ପଚାରିଛନ୍ତି କୋର୍ଟ।

କେଜ୍ରିୱାଲ ଜେଲ୍‌ରେ ବନ୍ଦ ଥିବାରୁ ଦିଲ୍ଲୀ ନଗର ନିଗମ ଅଧୀନ ସ୍କୁଲମାନଙ୍କରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହେଲାଣି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଫାଇଲ୍‌ ଅନୁମୋଦିତ ହୋଇ ପାରୁ ନ ଥିବାରୁ ପିଲାମାନଙ୍କୁ ବହି, ଖାତା, ସ୍କୁଲ ଡ୍ରେସ୍‌ ଆଦି ଆବଶ୍ୟକୀୟ ଜିନିଷ ମିଳି ପାରୁନି। ଫଳରେ ସେମାନଙ୍କ ପାଠପଢ଼ା ବ୍ୟାହତ ହେଉଛି।

ଦିଲ୍ଲୀ ନଗର ନିଗମ ଅଧୀନ ସ୍କୁଲଗୁଡ଼ିକର ଛାତ୍ରଛାତ୍ରୀଙ୍କୁ ବହି, ଖାତା, ବ୍ୟାଗ୍‌ ଆଦି ନ ମିଳି ପାରିବା ପଛରେ ସ୍ଥାୟୀ ସମିତି ଗଠିତ ହୋଇ ନ ପାରିବା ମୁଖ୍ୟ କାରଣ ବୋଲି ଜଣାଯାଇଛି।। ମୁଖ୍ୟମନ୍ତ୍ରୀ ଏହି ସମିତିର ମୁଖ୍ୟ ହୋଇଥିବା ବେଳେ ତାଙ୍କ ଅନୁମୋଦନ ମିଳିବା ପରେ ୫ କୋଟିରୁ ଅଧିକ ଟଙ୍କାର ଟେଣ୍ଡର ପାରିତ ହୋଇଥାଏ। ମାତ୍ର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଜେଲ୍‌ରେ ବନ୍ଦ ଥିବାରୁ ଏହା ପାରିତ ହୋଇ ପାରୁନି। ସ୍ଥାୟୀ ସମିତି ଗଠନ ହୋଇ ନ ପାରିଲେ ଏହି ଦାୟିତ୍ୱ ତୁରନ୍ତ ଏକ ଉପଯୁକ୍ତ ଅଥରିଟିକୁ ହସ୍ତାନ୍ତର କରିବାକୁ କହିଛନ୍ତି କୋର୍ଟ।

Comments are closed.