ଦେଶରେ ମାଗଣାରେ ମିଳିବ କରୋନା ଟୀକା
ନୂଆଦିଲ୍ଲୀ,୨ ।୧ : ଭାରତରେ ବ୍ରିଟେନ୍ ଷ୍ଟ୍ରେନକୁ ନେଇ ଚିନ୍ତା ବଢିଥିବା ବେଳେ କରୋନା ଭ୍ୟାକ୍ସିନକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଟୀକା ଦେବାକୁ ପାଇଁ ସାରା ଦେଶରେ ଡ୍ରାଏ ରନ୍ ଆରମ୍ଭ ହୋଇଛି । କରୋନା ଟୀକାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ‘କରୋନା ଟୀକା ମାଗଣାରେ ଉପଲବ୍ଧ ହେବ । କେବଳ ଦିଲ୍ଲୀ ନୁହେଁ, ବରଂ ସାରା ଦେଶରେ କରୋନା ଟୀକା ଫ୍ରିରେ ମିଳିବ ।’
ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିବା ଅନୁସାରେ, କୋଭିଡ୍-୧୯ ଟିକା ଶୁଭାରମ୍ଭ ନିମନ୍ତେ ‘ଡ୍ରାଏ ରନ୍’ କରାଯିବାର ଉଦ୍ଦେଶ୍ୟ ହେଉଛି ‘କୋଭିଡ୍ ଭ୍ୟାକ୍ସିନ୍ ଇଣ୍ଟେଲିଜେନ୍ସ୍ ନେଟ୍ଓ୍ଵାର୍କ’ର (ସିଓ-ଓ୍ଵିନ୍) ବ୍ୟବହାର ଓ କାର୍ଯ୍ୟକାରିତା ସଂକ୍ରାନ୍ତରେ ଅଭିଜ୍ଞତା ହାସଲ କରିବା। ଏହା ଫଳରେ ପ୍ରକୃତ ଟିକାକରଣ ଆରମ୍ଭ ପୂର୍ବରୁ ସମ୍ପୃକ୍ତ ଅଞ୍ଚଳର ପାରିପାର୍ଶ୍ୱିକ ସ୍ଥିତି, ଟିକାକରଣ ଯୋଜନା ଓ ପ୍ରୟୋଗ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବା, ଉପୁଜୁଥିବା ଅସୁବିଧାକୁ ଚିହ୍ନଟ କରିବା ଏବଂ ଟିକାକରଣର ଅଗ୍ରଗତି ନିମନ୍ତେ ଉପାୟ ସମ୍ବନ୍ଧରେ ଅନେକ କିଛି ଜାଣିହେବ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୧୧୬ ଜିଲ୍ଲାର ୨୫୯ ସ୍ଥାନରେ କୋଭିଡ ଭ୍ୟାକ୍ସିନର ଡ୍ରାଏ ରନ୍ ଆରମ୍ଭ ହୋଇଛି । ଓଡିଶାର ୩୦ଟି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସମେତ କ୍ୟାପିଟାଲ ହସ୍ପିଟାଲରେ କରୋନା ଟିକାକରଣ ନେଇ ଡ୍ରାଏ ରନ ଆରମ୍ଭ ହୋଇଛି ।
Comments are closed.