ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ବୟାନକୁ ନେଇ କଂଗ୍ରେସର ଟାର୍ଗେଟ

ନୂଆଦିଲ୍ଲୀ : ସଂସଦ, ସମ୍ବିଧାନ ଓ ନ୍ୟାୟପାଳିକାକୁ ନେଇ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ବୟାନକୁ ନେଇ କଂଗ୍ରେସ ଲଗାତାର ଟାର୍ଗେଟ୍‌ କରି ଚାଲିଛି। ଭାରତୀୟ ଗଣାତନ୍ତ୍ରିକ ବ୍ୟବସ୍ଥାରେ ସଂସଦ ନୁହେଁ ସମ୍ବିଧାନ ହିଁ ସର୍ବୋଚ୍ଚ ବୋଲି କଂଗ୍ରେସ ନେତାମାନେ କହିଛନ୍ତି। କଂଗ୍ରେସ ନେତା ସଲମାନ ଅନିସ ସୋଜ କରିଛନ୍ତି ଯେ ଉପରାଷ୍ଟ୍ରପତି ଧନଖଡ଼ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆରଏସଏସ ଦ୍ବାରା ଦିଆଯାଇଥିବା ସ୍କ୍ରିପ୍ଟ ଅନୁଯାୟୀ କାମ କରୁଛନ୍ତି। ଧନଖଡ଼ଙ୍କୁ ତାଙ୍କ ସରକାରୀ ପଦବିକୁ ନ୍ୟାୟପାଳିକା ଏବଂ ବ୍ୟବସ୍ଥାପିକା ମଧ୍ୟରେ ନିଆଁ ଲଗାଇବା ପାଇଁ ବ୍ୟବହାର କରିବାକୁ କୁହାଯାଇଛି ବୋଲି ସେ କହିଛନ୍ତି। ଏହାଦ୍ବାରା ବି‌ଜେପି ସୁଦୃଢ଼ ହେବ ଏବଂ ଭାରତୀୟ ଗଣତନ୍ତ୍ର ଦୁର୍ବଳ ହୋଇଯିବ ବୋଲି ସୋଜ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଉପରାଷ୍ଟ୍ରପତି ଧନଖଡ଼ ୧୯୭୩ ମସିହାର କେଶବାନନ୍ଦ ଭାରତୀ ମାମଲାର ରାୟକୁ ନେଇ ପ୍ରଶ୍ନ ଉଠାଇବାପରେ ସୋଜ ଆଜି ଏଭଳି ଟିପ୍ପଣୀ ଦେଇଛନ୍ତି। ଧନଖଡ଼ କହିଥିଲେ, ସଂସଦର ସର୍ବୋଚ୍ଚ କ୍ଷମତା ନ୍ୟାୟପାଳିକା ଦ୍ବାରା ସାଲିସ କରାଯାଇପାରିବ ନାହିଁ। ଉଲ୍ଲେଖଯୋଗ୍ୟ, ୧୯୭୩ରେ କେଶବାନନ୍ଦ ଭାରତୀ ମାମଲାରେ ସୁପ୍ରିମକୋର୍ଟ ପ୍ରଥମ ଥର ପାଇଁ ସାମ୍ବିଧାନିକ ସଂଶୋଧନକୁ ରଦ୍ଦ କରିବାପାଇଁ କୋର୍ଟଙ୍କ ଅଧିକାର ପରିସରକୁ ବଢ଼ାଇଥିଲେ। ଏହି ପ୍ରସଙ୍ଗରେ ଧନଖଡ଼ କୋର୍ଟଙ୍କୁ ଟାର୍ଗେଟ୍‌ କରିଥିଲେ। ସମ୍ବିଧାନ ସଂଶୋଧନ ସଂକ୍ରାନ୍ତ ସଂସଦର କ୍ଷମତା ଅନ୍ୟ କୌଣସି କର୍ତ୍ତୃପକ୍ଷଙ୍କ ସହ ଜଡ଼ିତ ନୁହେଁ ବୋଲି ଧନଖଡ଼ କହିଛନ୍ତି। ଏହା ହେଉଛି ଗଣତନ୍ତ୍ରର ଜୀବନରେଖା। ୨୦୧୫ ମସିହାରେ ଏନ୍‌ଜେଏସି (ନେସନାଲ ଜୁଡିସିଆଲ ଆପଏଣ୍ଟମେଣ୍ଟ୍‌ସ କମିସନ୍‌) ରଦ୍ଦ କରିବା ସଂକ୍ରାନ୍ତ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଧନଖଡ଼ କଡ଼ା ସମାଲୋଚନା କରିଛନ୍ତି। ଧନଖଡ଼ଙ୍କ ଟିପ୍ପଣୀ ସଂକ୍ରାନ୍ତରେ ପ୍ରତିକ୍ରିୟା ରଖି କଂଗ୍ରେସ ସାଧାରଣ ସଚିବ ଜୟରାମ ରମେଶ କହିଛନ୍ତି, ଧନଖଡ଼ଙ୍କ ଟିପ୍ପଣୀ ନ୍ୟାୟପାଳିକା ଉପରେ ଏକ ଅସାଧାରଣ ଆକ୍ରମଣ।

Comments are closed.