ମନ୍ଦିରରୁ ଟିକସ ଆଦାୟ ବିଲ୍ ଉପରେ କଂଗ୍ରେସକୁ ଝଟକା

ବେଙ୍ଗାଲୁରୁ: କର୍ଣ୍ଣାଟକର କଂଗ୍ରେସ ସରକାର ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବାସ୍ତବରେ, କର୍ଣ୍ଣାଟକ ସରକାର ଆଣିଥିବା ‘ହିନ୍ଦୁ ଧାର୍ମିକ ଅନୁଷ୍ଠାନ ଏବଂ ଚାରିଟେବୁଲ୍ ଏଣ୍ଡୋମେଣ୍ଟସ୍ (ସଂଶୋଧନ) ବିଲ୍’ ବିଧାନ ପରିଷଦ ଦ୍ୱାରା ପାରିତ ହୋଇପାରି ନାହିଁ। ବିରୋଧୀ ଦଳ ବିଜେପି ଏବଂ ଜେଡିଏସ୍ ଏହାକୁ ବିରୋଧ କରିଛନ୍ତି। ବିଧାନ ପରିଷଦରେ ବିରୋଧୀଙ୍କ ସଂଖ୍ୟାଗରିଷ୍ଠତା ରହିଛି, ତେଣୁ ବିରୋଧ ଯୋଗୁ ଏହି ବିଲ୍ ବିଧାନ ପରିଷଦରେ ପାରିତ ହୋଇପାରି ନାହିଁ। ଗତ ସପ୍ତାହରେ ବିଧାନସଭା ଦ୍ୱାରା ମନ୍ଦିର ବିଲ୍ ପାରିତ ହୋଇ ପରେ ବିଧାନ ପରିଷଦରେ ଉପସ୍ଥାପିତ ହୋଇଥିଲା।

ଏହି ବିଲରେ ଏକ ବିବାଦୀୟ ବ୍ୟବସ୍ଥା ରହିଛି । ରାଜ୍ୟର ଯେଉଁ ମନ୍ଦିରର ବାର୍ଷିକ ଆୟ ୧୦ଲକ୍ଷରୁ ୧ କୋଟି ଟଙ୍କା ସେସବୁ ମନ୍ଦିର ଉପରେ ପାଞ୍ଚ ପ୍ରତିଶତ ଟିକସ ଲାଗୁ କରିବାର ବ୍ୟବସ୍ଥା ଏଥିରେ ରହିଛି । ସେହିପରି ଯେଉଁ ମନ୍ଦିରଗୁଡ଼ିକର ବାର୍ଷିକ ଆୟ ୧ କୋଟିରୁ ଅଧିକ ସେସବୁ ଉପରେ ୧୦ପ୍ରତିଶତ ଟିକସ ଲାଗୁ କରିବାର ବ୍ୟବସ୍ଥା ଅଛି । ମନ୍ଦିର ରୋଜଗାରରୁ ପ୍ରାପ୍ତ ପାଣ୍ଠିକୁ ଏକ କମନ ପୁଲ୍ ପାଣ୍ଠିରେ ରଖିବା ପାଇଁ ଏକ ବ୍ୟବସ୍ଥାକରାଯାଇଛି, ଯାହା ରାଜ୍ୟ ଧାର୍ମିକ ପରିଷଦ ଦ୍ୱାରା ପରିଚାଳିତ ହେବ। ଏହି ପାଣ୍ଠି ରାଜ୍ୟର ଯେଉଁ ମନ୍ଦିରଗୁଡ଼ିକର ବାର୍ଷିକ ଆୟ ପାଞ୍ଚ ଲକ୍ଷରୁ କମ୍ ସେଭଳି ‘ସି’ ବର୍ଗ ମନ୍ଦିରର ପୁରୋହିତମାନଙ୍କ କଲ୍ୟାଣ ପାଇଁ ବ୍ୟବହୃତ ହେବ।

ବିରୋଧୀ ଅଭିଯୋଗ ଆଣିଛନ୍ତି ମନ୍ଦିର ଉପରେ ଟିକସ ଲଗାଇ ସରକାର ରାଜକୋଷ ପୂରଣ କରିବାକୁ ଚେଷ୍ଟା କରୁଛନ୍ତି।

ବିରୋଧୀଙ୍କ ଅନୁଯାୟୀ ସରକାର ସ୍ୱଳ୍ପ ରୋଜଗାର କରୁଥିବା ମନ୍ଦିର ପୁରୋହିତଙ୍କ କଲ୍ୟାଣ ପାଇଁ ବଜେଟରେ ପୃଥକ ପାଣ୍ଠି ଯୋଗାଇଦେବା ଉଚିତ୍।

Comments are closed.