ଆଜି ମହାପ୍ରଭୁଙ୍କ ଚିତାଲାଗି: ଜାଣନ୍ତୁ କଣ ହୁଏ ରୀତିନୀତି

ଆଜି ଶ୍ରାବଣ ଅମାବାସ୍ୟା ତିଥିରେ ପରମ୍ପରା ଅନୁଯାୟୀ ରୀତିନୀତି ମାଧ୍ୟମରେ ମହାପ୍ରଭୁଙ୍କ ଚିତାଲାଗି ପର୍ବ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିରରେ ପ୍ରଥମ ଭୋଗମଣ୍ଡପ ଉଠିବା ପରେ ଦଇତାପତି ସେଵାୟତ ଓ ପତିମହାପାତ୍ର ସେବକ ମହାପ୍ରଭୁଙ୍କ ମସ୍ତକରେ ହୀରା,ନୀଳା,ମାଣିକ୍ୟର ଦୂର୍ମୁଲ୍ୟ ଚିତା ପରିଧାନ କରାଇଛନ୍ତି । ଦେବସ୍ନାନ ପୂର୍ଣ୍ନିମା ଦିନ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଜ୍ୱରରେ ପୀଡିତ ହୋଇ ଅଣସର ପିଣ୍ଡିରେ ବିରାଜମାନ କରିଥିଲେ । ଅଣସର ପିଣ୍ଡିରେ ଦଇତାପତିମାନେ ଶ୍ରୀଜୀଉଙ୍କ ଚିତାକୁ ଓଲାଗି କରିଥିଲେ । ପରେ ଗୁଣ୍ଡିଚା ଯାତ୍ରାରେ ଶ୍ରୀଜୀଉମାନେ ସୋଲ ଚିତା ପରିଧାନ କରି ନବଦିନାତ୍ମକ ଯାତ୍ରାରେ ଯାଇଥିଲେ । ଚିତାଲାଗି ପାଇଁ ପାଟରା ସେଵାୟତମାନେ ବାସୁଙ୍ଗା ପାଟରେ ଜଗନ୍ନାଥଙ୍କ ପାଇଁ ହଳଦିଆ ରଙ୍ଗ, ବଳଭଦ୍ରଙ୍କ ପାଇଁ ନୀଳ,ଦେଵି ସୁଭଦ୍ରାଙ୍କ ପାଇଁ ନାଲି ଶ୍ରୀପଟ,ଶ୍ରୀପଟି ଓ ଶ୍ରୀପେଚ ତିଆରି କରିବା ପରେ ଆଜିର ପବିତ୍ର ଦିନରେ ଦଇତାପତି ସେଵାୟତ ଶ୍ରୀଜଗନ୍ନାଥଙ୍କୁ ହୀରାରେ ଖଚିତ ଚିତା,ବଳଭଦ୍ରଙ୍କୁ ନୀଳା,ଦେବୀ ସୁଭଦ୍ରାଙ୍କୁ ମାଣିକ୍ୟ ଖଚିତ ଚିତା ପରିଧାନ କରାଇଥାନ୍ତି । ସେପଟେ ଏହି ସେବା ଅତ୍ୟନ୍ତ ଗୁପ୍ତ ସେବା ହୋଇଥିବାରୁ ଦିନ୧ଟାଏରୁ ୫ଟା ପର୍ଯ୍ୟନ୍ତ ସର୍ଵସାଧାରଣଙ୍କ ନିମନ୍ତେ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି ।

Comments are closed.