ଆମେରିକା ଆକାଶରେ ଚୀନ ସ୍ପାଏ ବେଲୁନ୍‌

ୱାସିଂଟନ୍‌: ଆମେରିକାର ସୁଉଚ୍ଚ ଆକାଶରେ ଉଡ଼ି ଅତି ଗୁରୁତ୍ବପୂର୍ଣ୍ଣ ଆଣବିକ ଅସ୍ତ୍ରଶସ୍ତ୍ର ଥିବା ସ୍ଥାନଗୁଡ଼ିକୁ ପର୍ଯ୍ୟବେକ୍ଷଣ କରୁଥିବା ପରି ଜଣାପଡୁଥିବା ଗୋଟାଏ ପର୍ଯ୍ୟବେକ୍ଷଣକାରୀ ବେଲୁନ୍‌ର (ସ୍ପାଏ ବେଲୁନ୍‌) ଗତିବିଧି ଉପରେ ନଜର ରଖାଯାଇଥିବା କଥା ଗୁରୁବାର ଦିନ ‘ପେଣ୍ଟାଗନ୍‌’ କହିଛି।

ସାମ୍ବାଦିକମାନଙ୍କୁ ଜଣେ ପଦସ୍ଥ ପ୍ରତିରକ୍ଷା ଅଧିକାରୀ କହିଛନ୍ତି, ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଅନୁରୋଧକ୍ରମେ ଉକ୍ତ ବେଲୁନ୍‌ଟିକୁ ଗୁଳିମାରି ଖସାଇ ଦେବା ଲାଗି ପ୍ରତିରକ୍ଷା ସଚିବ ଲିୟଡ୍‌ ଅଷ୍ଟିନ୍‌ ଏବଂ ଉଚ୍ଚସ୍ତରୀୟ ସେନା ଅଧିକାରୀମାନେ ବିଚାର କରୁଥିଲେ। କିନ୍ତୁ, ସେମାନେ ସ୍ଥିର କଲେ ଯେ, ସେପରି କରିବାଦ୍ବାରା ବେଲୁନ୍‌ର ଜଳନ୍ତା ଭଙ୍ଗାରୁଜା ଅଂଶ ପଡ଼ି ଭୂପୃଷ୍ଠରେ ଥିବା ଜନସାଧାରଣଙ୍କ ପ୍ରତି ବିପଦ ସୃଷ୍ଟି ହୋଇପାରେ। ମୋଣ୍ଟାନା ଆକାଶରେ ଉଡୁଥିବା ବେଳେ ଉକ୍ତ ବେଲୁନ୍‌କୁ ପରୀକ୍ଷା କରିବା ପାଇଁ ଲଢୁଆ ବିମାନ ମଧ୍ୟ ପ୍ରେରଣ କରାଯାଇଥିଲା।

ବେଲୁନ୍‌ଟି ଯୁକ୍ତରାଷ୍ଟ୍ର ଆମେରିକାର ଉତ୍ତରପଶ୍ଚିମ ଉଡୁଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ସେ ଅଞ୍ଚଳରେ ଗୁରୁତ୍ବପୂର୍ଣ୍ଣ ବିମାନଘାଟି ଏବଂ ଭୂତଳ ଗହ୍ବ‌ରରେ ଯୁଦ୍ଧ ନିମନ୍ତେ କ୍ଷେପଣାସ୍ତ୍ର ଗଚ୍ଛିତ ଅଛି।

ନାମ ଗୋପନ ରଖିବାକୁ ଅନୁରୋଧ କରି ଜଣେ ସରକାରୀ ଅଧିକାରୀ କହିଛନ୍ତି, ଏ ବେଲୁନ୍‌ଟି ପର୍ଯ୍ୟବେକ୍ଷଣ ନିମନ୍ତେ ଉଦ୍ଦିଷ୍ଟ ବୋଲି ସୁସ୍ପଷ୍ଟ। ଏବେ ସେ ଯେଉଁ ଅଞ୍ଚଳ ଦେଇ ଉଡ଼ିଯାଉଛି ସେଠାରେ ଗୁଡ଼ାଏ ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିଛି।କିନ୍ତୁ, ଉକ୍ତ ବେଲୁନ୍‌ ଏତେଟା ବିପଜ୍ଜନକ ନୁହେଁ ଏବଂ ତା’ର ଗୁପ୍ତତଥ୍ୟ ସଂଗ୍ରହକାରୀ କ୍ଷମତା ସୀମିତ ବୋଲି ପେଣ୍ଟାଗନ୍‌ କହିଛି।

Comments are closed.