ତୁମେ କଲେ ଠିକ୍ ଆଉ ଯିଏ କରିବ ଭୁଲ ଏମିତି କିଛି କହି ବିଜେପିକୁ ଟାର୍ଗେଟ କରିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ

ବିଳାସପୁର: ‘ବିଜେପି’ ନେତାଙ୍କ ଝିଅମାନେ ସଂଖ୍ୟାଲଘୁଙ୍କୁ ବାହା ହେଲେ ସେମାନେ ପ୍ରେମ କହୁଛନ୍ତି, କିନ୍ତୁ ଅନ୍ୟ କେହି ବାହା ହେଲେ ‘ଜିହାଦ୍‌’ କୁହାଯାଉଛି ବୋଲି ବୁଧବାର ଦିନ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍‌ କହିଛନ୍ତି। ଗତ ସପ୍ତାହରେ ବେମେତାରା ଜିଲ୍ଲାର ବୀରଣପୁର ଗ୍ରାମରେ ଘଟିଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡରୁ ‘ବିଜେପି’ ରାଜନୈତିକ ଫାଇଦା ହାସଲ କରୁଛି ବୋଲି ମଧ୍ୟ ବଘେଲ୍‌ କହିଛନ୍ତି।

ଦୁଇ ଭିନ୍ନଧର୍ମାବଲମ୍ବୀଙ୍କ ବିବାହ ଘଟଣାକୁ ନେଇ ବୀରଣପୁରରେ ଉତ୍ତେଜନା ଆରମ୍ଭ ହୋଇଥିଲା ବୋଲି ବିଳାସପୁର ସହରରେ ବଘେଲ୍‌ଙ୍କୁ ସାମ୍ବାଦିକମାନେ ପଚାରିବାରୁ ସେ କହିଲେ, ବନ୍ଦ ଡାକରା ଦେବା ପୂର୍ବରୁ ‘ବିଜେପି’ ଘଟଣାକୁ (ସଂଘର୍ଷ) ଯାଞ୍ଚ କରିନାହିଁ କି, କୌଣସି ରିପୋର୍ଟ ସଂଗ୍ରହ କରି ନ ଥିଲା। ପ୍ରକୃତ କଥା ହେଲା, ଦୁଇଜଣ ପିଲାଙ୍କ ମଧ୍ୟରେ ମାଡ଼‌ଗୋଳ ହେବା ପରେ ସଂଘର୍ଷ ଘଟିଥିଲା ଏବଂ ଏହି ସଂଘର୍ଷରେ ଜଣେ ବ୍ୟକ୍ତି ପ୍ରାଣ ହରାଇଲେ। ଏହା ଅତ୍ୟନ୍ତ ଦୁଃଖର ବିଷୟ। କିନ୍ତୁ ‘ବିଜେପି’ ଏଥିରୁ ରାଜନୈତିକ ଫାଇଦା ହାସଲ କରୁଛି।

ମୁଖ୍ୟମନ୍ତ୍ରୀ ବଘେଲ୍‌ ଆହୁରି ମଧ୍ୟ କହିଛନ୍ତି, ସେମାନେ ‘ଲଭ୍‌ ଜିହାଦ୍‌’ କଥା କହୁଛନ୍ତି। ବରିଷ୍ଠ ‘ବିଜେପି’ ନେତାମାନଙ୍କର ଝିଅମାନେ ସଂଖ୍ୟାଲଘୁଙ୍କୁ ବିବାହ କରିଥିବା କଥା ଉଠାଇଲେ ତାହା ‘ଲଭ୍‌ ଜିହାଦ୍‌’ ବୋଲି କୁହାଯାଇ ପାରିବ ନାହିଁ। ଛତିଶଗଡ଼ର ସବୁଠୁ ବଡ଼ ‘ବିଜେପି’ ନେତାଙ୍କ ଝିଅ କୁଆଡ଼େ ଯାଇଛି ପଚାରନ୍ତୁ। ତାହା କ’ଣ ‘ଲଭ୍‌ ଜିହାଦ୍‌’ ନୁହେଁ? ସେମାନଙ୍କ ଝିଅ ଏମିତି କଲେ ‘ପ୍ରେମ’ କିନ୍ତୁ, ଅନ୍ୟ କାହା ଝିଅ ଏମିତି କଲେ ‘ଜିହାଦ୍‌’।

ଏସବୁ ବନ୍ଦ କିରବା ପାଇଁ ‘ବିଜେପି’ କ’ଣ କରିଛି? ସେମାନେ ଏଥିରୁ ରାଜନୈତିକ ଫାଇଦା ଚାହୁଁଛନ୍ତି। ସେମାନଙ୍କ ଜ୍ବାଇଁମାନଙ୍କୁ ମନ୍ତ୍ରୀ ଓ ସାଂସଦ କରୁଛନ୍ତି ବୋଲି ବଘେଲ୍‌ କହିଛନ୍ତି।

Comments are closed.