ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ବିଜେପିକୁ ଝଟକା ଦଳ ଛାଡିଲେ ବିଧାୟକ

ନୂଆଦିଲ୍ଲୀ :କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ବୁଧବାର ରାତିରେ ବିଜେପି ତା’ର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ୨୩ ଜଣଙ୍କ ନାଁ ରହିଛି। ତେବେ ଏହି ତାଲିକାରେ ନାଁ ନଥିବାରୁ ଦଳରୁ ଇସ୍ତଫା ଦେଇଛନ୍ତି ବିଧାୟକ ଏମ୍.ପି କୁମାରସ୍ୱାମୀ। ଏହା ସହିତ ସେ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେବା ବୋଲି ସୂଚନା ଦେଇଛନ୍ତି।

୨୦୧୮ରେ ମୁଡିଗେରେ ଆସନରୁ ବିଧାୟକ ହୋଇଥିଲେ କୁମାରସ୍ୱାମୀ। ଏଥର ମଧ୍ୟ ଟିକେଟ ପାଇବେ ବୋଲି ଆଶା ରଖିଥିଲେ ସେ। କିନ୍ତୁ ତାଙ୍କୁ ଦଳ ଟିକେଟ ଦେଇନି। ତାଙ୍କ ବଦଳରେ ଦୀପକ ଡୋଡାଇଆଙ୍କୁ ବିଜେପି ମୁଡିଗେରେ ଆସନରୁ ପ୍ରାର୍ଥୀ କରିଛି।

ଟିକେଟ ନପାଇବାରୁ ବିଧାୟକ ଏମ୍‌.ପି କୁମାରସ୍ୱାମୀ ସିଧାସଳଖ ଦଳର ରାଷ୍ଟ୍ରୀୟ ସାଧାରଣ ସଂପାଦକ ସି ଟି ରବିଙ୍କୁ ଦାୟୀ କରିଛନ୍ତି। ସି ଟି ରବିଙ୍କ ସହିତ ତାଙ୍କର ଭଲ ସମ୍ପର୍କ ନଥିବା ଯୋଗୁ ତାଙ୍କୁ ଟିକେଟ ଦିଆଯାଇ ନାହିଁ ବୋଲି କହିଛନ୍ତି ବିଧାୟକ କୁମାରସ୍ୱାମୀ।

ସେ କହିଛନ୍ତି, ସି ଟି ରବିଙ୍କ ଯୋଗୁ ମୋତେ ଟିକେଟ ଦିଆଯାଇନାହିଁ। ମୋତେ କେମିତି ଟିକେଟ ମିଳିବ ନାହିଁ, ସେ କଥା ସି ଟି ରବି ସୁନିଶ୍ଚିତ କରିଛନ୍ତି। ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ସି ଟି ରବିଙ୍କର ଏବେ ବହୁତ କ୍ଷମତା ରହିଛି। ସେ ଦଳକୁ ନଷ୍ଟ କରି ଦେବେ ବୋଲି କହିଛନ୍ତି କୁମାରସ୍ୱାମୀ।

Comments are closed.