କାଲି ଭାରତ ଆସିବେ ଚିତା ବାଘ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଅଣାଯିବାକୁ ଥିବା ୮ ଚିତା ପାଇଁ ସ୍ବତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଛି। ବି୭୪୭ ଜୁମ୍ବୋ ଜେଟ୍‌ରେ ଚିତାର ମୁହଁ ଅଙ୍କାଯାଇଛି। ଏହି ବିମାନ ନାମିବ୍ୟା ରାଜଧାନୀ ଓ୍ବିଣ୍ଡହକ୍‌ରେ ପହଞ୍ଚିଛି।

ଆନ୍ତଃ ମହାଦେଶୀୟ ସ୍ଥାନାନ୍ତରଣ ଯୋଜନାରେ ୫ ଅଣ୍ଡିରା ଚିତା ଏବଂ ୩ ମାଈ ଚିତା ଆସନ୍ତା ୧୭ ତାରିଖରେ କାର୍ଗୋ ଏୟାରକ୍ରାଫ୍ଟ ଯୋଗେ ରାଜସ୍ଥାନର ଜୟପୁରରେ ପହଞ୍ଚିବେ। ସେଠାରୁ ସେମାନଙ୍କୁ ହେଲିକପ୍ଟର ଯୋଗେ କୁନୋ ଜାତୀୟ ଉଦ୍ୟାନକୁ ନିଆଯିବ। ବିମାନ ଯୋଗେ ଭାରତ ଆସିବା ପର୍ଯ୍ୟନ୍ତ ଚିତା ଖାଲିପେଟରେ ରହିବେ। ଦୀର୍ଘ ଯାତ୍ରାବେଳେ ପ୍ରାଣୀଙ୍କଠାରେ ବାନ୍ତି ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଏଥିଯୋଗୁ ସେମାନଙ୍କଠାରେ ଅନ୍ୟ ସ୍ବାସ୍ଥ୍ୟଗତ ଜଟିଳତା ଦେଖାଯିବାର ଆଶଙ୍କା ଥିବାରୁ ଏହି ପଦକ୍ଷେପ ନିଆଯାଇଥିବା ଜଙ୍ଗଲ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ସେପ୍ଟେମ୍ବର ୧୭ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ବଟନ ଦବାଇ ଚିତାବାଘଗୁଡ଼ିକୁ କୁନୋ ପାର୍କରେ ଛାଡ଼ିବେ। ଆଫ୍ରିକୀୟ ଚିତା ପ୍ରୋଜେକ୍ଟ ୨୦୦୯ରେ ଆରମ୍ଭ ହୋଇଥିଲା। ଗତବର୍ଷ ନଭେମ୍ବର ସୁଦ୍ଧା ମଧ୍ୟପ୍ରଦେଶର କୁନୋ ପାର୍କକୁ ଏହି ଚିତା ଅଣାଯିବାର ଯୋଜନା ଥିଲା। ହେଲେ କୋଭିଡ୍‌-୧୯ ଯୋଗୁ ଏଥିରେ ବିଳମ୍ବ ହୋଇଥିଲା। ଚିତାଙ୍କ କୁନୋ ପାର୍କରେ ଉପଯୁକ୍ତ ପରିବେଶ ରହିଛି। ସେଠାରେ ଚିଙ୍କାରା, ଛିଟାଥିବା ହରିଣ, ବ୍ଲାକ୍‌ହକ୍‌ ଆସି ରହିଥିବାରୁ ଚିତା ସେମାନଙ୍କୁ ଶିକାର କରିପାରିବ ଏବଂ ଜଙ୍ଗଲ ପରିବେଶରେ ବଢ଼ିପାରିବ।

Comments are closed.