ବିଧାୟକ ଦଳର ନେତାଭାବେ ଚନ୍ଦ୍ରାବାବୁଙ୍କ ନାମରେ ବାଜିବ ମୋହର, ସ୍ଥିର ହେବ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନାମ

ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ବିଧାନସଭା ନିର୍ବାଚନ ଶେଷ ହୋଇଛି। ଉଭୟ ରାଜ୍ୟରେ ସରକାରଙ୍କର ପରିବର୍ତ୍ତନ ହୋଇଛି। ଆନ୍ଧ୍ରପ୍ରଦେଶରେ ତେଲୁଗୁ ଦେଶମ ପାର୍ଟି ଜିତିଥିବାବେଳେ ବିଜେଡି ଗଡ଼ ଓଡ଼ିଶାରେ ସର୍ବାଧିକ ସଂଖ୍ୟକ ଆସନ ଜିତି ଭାଜପା ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ମଙ୍ଗଳବାର ଆନ୍ଧ୍ରରେ ଟିଡିପି ବିଧାନସଭା ଦଳର ଏକ ବୈଠକ ହେବ ଯେଉଁଥିରେ ଦଳର ମୁଖ୍ୟ ଚନ୍ଦ୍ରାବାବୁ ନାଇଡୁ ଦଳର ନେତା ଭାବରେ ନିର୍ବାଚିତ ହେବେ। ଏଥି ସହ ମଙ୍ଗଳବାର ଓଡ଼ିଶାରେ ଭାଜପା ବିଧାନସଭା ପାର୍ଟି ବୈଠକ ଅନୁଷ୍ଠିତ ହେବ। ଏଥିରେ ଦଳର ନେତା ନିର୍ବାଚିତ ହେବେ। ଭାଜପା ବିଧାନସଭା ଦଳର ନେତା କିଏ ହେବେ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଦଳର ହାଇକମାଣ୍ଡ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ ଏବଂ ଭୁପେନ୍ଦ୍ର ଯାଦବଙ୍କୁ ନେତା ବାଛିବା ଦାୟିତ୍ୱ ଦେଇଛନ୍ତି।

 

ତେଲୁଗୁ ଦେଶମ ପାର୍ଟି (ଟିଡିପି) ବିଧାନସଭା ପାର୍ଟି ବୈଠକ ଜୁନ ୧୧ରେ ଅନୁଷ୍ଠିତ ହେବ ଯେଉଁଥିରେ ଏନ ଚନ୍ଦ୍ରାବାବୁ ନାଇଡୁ ନେତା ଭାବରେ ନିର୍ବାଚିତ ହେବେ। ଦଳର ମୁଖପାତ୍ର ଜ୍ୟୋତ୍ସ୍ନା ଥିରୁନାଗରୀ କହିଛନ୍ତି ଯେ ମଙ୍ଗଳବାର ବିଧାନସଭା ପାର୍ଟି ବୈଠକରେ ନାଇଡୁ ନେତା ଭାବରେ ନିର୍ବାଚିତ ହେବେ।

ନେତା ନିର୍ବାଚିତ ହେବା ପରେ ଟିଡିପି, ଭାଜପା ଏବଂ ଜନସେନା ମିଳିତ ମଞ୍ଚର ନେତାମାନେ ରାଜ୍ୟପାଳ ଏସ ଅବଦୁଲ ନାଜିରଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବେ। ଥିରୁନାଗରୀଙ୍କ ଅନୁଯାୟୀ ବୁଧବାର ନାଇଡୁଙ୍କ ସହ ଅଧିକ ନେତା ଶପଥ ନେଇପାରିବେ। ନାଇଡୁଙ୍କ ସହ ଶପଥ ଗ୍ରହଣ କରୁଥିବା ନେତାଙ୍କ ନାମ ମଙ୍ଗଳବାର ରାତିରେ ସ୍ଥିର ହୋଇପାରେ।

ଓଡ଼ିଶାରେ ନୂତନ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଭାଜପା ବରିଷ୍ଠ ନେତା ରାଜନାଥ ସିଂ ଏବଂ ଭୁପେନ୍ଦ୍ର ଯାଦବଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି। ଭାଜପାର ଦାୟିତ୍ୱରେ ଥିବା ବିଜୟ ପାଲ ସିଂ ତୋମାରଙ୍କ ଅନୁଯାୟୀ ମଙ୍ଗଳବାର ପର୍ଯ୍ୟବେକ୍ଷକଙ୍କ ତତ୍ତ୍ୱାବଧାନରେ ବିଧାନସଭା ପାର୍ଟି ବୈଠକ ଅନୁଷ୍ଠିତ ହେବ ଏବଂ ଏଥିରେ କେବଳ ନେତା ନିର୍ବାଚିତ ହେବେ।

ଜୁନ ୧୨ରେ ନୂତନ ସରକାର ଶପଥ ଗ୍ରହଣ କରିବେ। ୧୪୭ ସଦସ୍ୟ ବିଶିଷ୍ଟ ଓଡିଶା ବିଧାନସଭାରେ ଭାଜପା ୭୮ ଟି ଆସନ ସହ ବହୁମତ ହାସଲ କରିଛି। ମୋଦି ସରକାରରେ ଯୋଗଦେବା ପରେ ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାର ସମ୍ଭାବନା ପ୍ରାୟ ଶେଷ ହୋଇଯାଇଛି।

Comments are closed.