ପୂର୍ବ ପଦ ବଜାଇ ରଖିପାରନ୍ତି ଖଡ଼ଗେ

ନୂଆଦିଲ୍ଲୀ : କଂଗ୍ରେସର ‘‌ଜଣେ ବ୍ୟକ୍ତି, ଗୋଟିଏ ପଦବୀ’ ନୀତି’ ଅନୁଯାୟୀ ଖଡ଼ଗେ କଂଗ୍ରେସ ସଭାପତି ହେବାପରେ ରାଜ୍ୟସଭାରେ ବିରୋଧୀ ଦଳ ନେତା ରହିପାରିବେନି। କିନ୍ତୁ ମିଳିଥିବା ସୂଚନାନୁଯାୟୀ, କଂଗ୍ରେସ ଦଳ ପକ୍ଷରୁ ଖଡ଼ଗେଙ୍କ ସ୍ଥାନରେ ଅନ୍ୟ କୌଣସି ନେତାଙ୍କୁ ନିଯୁକ୍ତି ଦେବାପାଇଁ କୌଣସି ନିଷ୍ପତ୍ତି ହୋଇନି। ଯଦି ଖଡ଼ଗେ ଏକ ସମୟରେ ୨ଟି ପଦବିରେ ରହନ୍ତି ତେବେ ଏହା କଂଗ୍ରେସର ଜଣେ ବ୍ୟକ୍ତି ଗୋଟିଏ ପଦବି ନୀତିର ବିରୁଦ୍ଧାଚରଣ କରିବ। ଉଲ୍ଲେଖଯୋଗ୍ୟ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀ ରହିବା ସହ କଂଗ୍ରେସ ସଭାପତି ହେବାପାଇଁ ଆଶା ରଖିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି କଂଗ୍ରେସର ଜଣେ ବ୍ୟକ୍ତି ଗୋଟିଏ ପଦବି ଉପରେ ଗୁରୁତ୍ବାରୋପ କରିଥିଲେ।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା‌ ସୋନିଆ ଗାନ୍ଧି ଆଜି କଂଗ୍ରେସ ସଂସଦୀୟ ଦଳର ଷ୍ଟ୍ରାଟେଜି ଗ୍ରୁପ୍‌ ବୈଠକ ଡାକିଛନ୍ତି। ରାଜ୍ୟସଭାରୁ କେବଳ ମଲ୍ଲିକାର୍ଜୁନ ଖଡ଼ଗେ, ଜୟରାମ ରମେଶ ଏବଂ କେସି ବେଣୁଗୋପାଳଙ୍କୁ ଏହି ବୈଠକକୁ ଡକାଯାଇଛି। ଖଡ଼ଗେଙ୍କ ସ୍ଥାନରେ ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ ଏବଂ ପି ଚିଦମ୍ବରମ ରାଜ୍ୟସଭାରେ ବିରୋଧୀ ଦଳ ନେତା ରହିପାରନ୍ତି ବୋଲି କୁହାଯାଉଥିଲା। କିନ୍ତୁ ଉଭୟ ଦିଗ୍‌ବିଜୟ ଏବଂ ପି ଚିଦମ୍ବରମଙ୍କୁ ଏହି ବୈଠକକୁ ଡକାଯାଇନି। ଉଲ୍ଲେଖଯୋଗ୍ୟ, ଖଡ଼ଗେ କଂଗ୍ରେସ ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ରାଜ୍ୟସଭାରେ ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଥିଲେ। ଖଡ଼ଗେ ସଂସଦର ଶୀତ ଅଧିବେଶନ ପର୍ଯ୍ୟନ୍ତ ରାଜ୍ୟସଭାରେ ବିରୋଧୀ ଦଳ ନେତା ରହିପାରନ୍ତି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।

Comments are closed.