ଯିଏ ପିଇବ ସେ ମରିବ, ଏମିତି କହିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ପାଟ୍‌ନା: ବିହାରର ଛପ୍‌ରାରେ ବିଷାକ୍ତ ମଦ ପିଇ ମୃତ୍ୟୁ ସଂଖ୍ୟା ୩୦ ଛୁଇଁଲାଣି। ମାମଲା ଛପ୍‌ରାର ସାରଣର ଇସୁଆପୁର ଥାନା ଅଞ୍ଚଳର। ଏବେ ବି କିଛି ଲୋକ ହସ୍ପିଟାଲରେ ଭର୍ତ୍ତି‌ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଏହି ପ୍ରସଂଗକୁ ନେଇ ବିଜେପି ଓ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଲାଗିରହିଛି। ଏହା ମଧ୍ୟରେ ଗଣମାଧ୍ୟମରେ ଚାଞ୍ଚଲ୍ୟକର ବୟାନ ଦେଇ ଚର୍ଚ୍ଚା ପାଲଟିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ।

ସେ ବିଷାକ୍ତ ମଦ ପ୍ରସଂଗରେ ପୁଣି ଥରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି, ‘ଭାଜପା ସରକାର ଗଢ଼ି ପାରିଲାନି। ଏହି କାରଣରୁ ଆକ୍ରାମକ ହୋଇ ଉଠିଛି। ଦେଶ ସାରା ଲୋକ ବିଷାକ୍ତ ମଦ ପିଇ ମରୁଛନ୍ତି। ବିହାରରେ ମଦ ବନ୍ଦ ହେବା ଆଗକୁ ବି ଲୋକ ମରୁଥିଲେ। ବିଷାକ୍ତ ମଦ ଯିଏ ପିଇବ‌, ସିଏ ମରିବ।’

ଏହି ଘଟଣାରେ ଗରିବଙ୍କୁ ଧରିବା ବଦଳରେ ଯେଉଁ ଲୋକ ନକଲି ମଦ ବ୍ୟବସାୟ କରୁଛନ୍ତି ସେମାନଙ୍କୁ ଧରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଆହୁରି ବି କହିଛନ୍ତି ଯେ ମଦ ସହ ଜଡିତ ବ୍ୟବସାୟରୁ ନିଜକୁ ଦୂରେଇ ରଖନ୍ତୁ ଏବଂ ଅନ୍ୟ କୌଣସି ବ୍ୟବସାୟ କରନ୍ତୁ । ଯଦି ଆବଶ୍ୟକ ପଡେ ତେବେ ସରକାର ଅନ୍ୟ ବ୍ୟବସାୟ ପାଇଁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ସହାୟତା କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି।

Comments are closed.