ବଞ୍ଜାବରେ ଆପର ବଡ ବିଜୟୀ

ଚଣ୍ଡିଗଡ଼ : ପଂଜାବର ଜଳନ୍ଧର ଲୋକସଭା ଉପନିର୍ବାଚନରେ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ସୁଶୀଲ ରିଙ୍କୁ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର କରମଜିତ କୌର ଚୌଧୁରୀଙ୍କୁ ବିପୁଳ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ଏହି ବିଜୟ ସହ ଆମ ଆଦମୀ ପାର୍ଟି ଲୋକସଭାରେ ପୁଣି ପ୍ରବେଶ କରିଛି । ପୂର୍ବରୁ ଭଗବନ୍ତ ମାନ ଦଳର ଏକମାତ୍ର ସାଂସଦ ଥିଲେ । କିନ୍ତୁ ସେ ମୁଖ୍ୟମନ୍ତ୍ରୀ ହେବା ପରେ ସାଂସଦ ପଦ ଛାଡ଼ିଥିଲେ । ଅନ୍ୟପକ୍ଷରେ ଜଳନ୍ଧର ଆସନ ୧୯୯୯ ମସିହାରୁ କଂଗ୍ରେସ ହାତରେ ଥିଲା । ଚଳିତ ବର୍ଷ ଜାନୁଆରୀରେ ‘ଭାରତ ଯୋଡୋ ଯାତ୍ରା’ ସମୟରେ କଂଗ୍ରେସ ସାଂସଦ ସଂତୋଖ ସିଂ ଚୌଧୁରୀଙ୍କ ହୃଦଘାତରେ ମୃତ୍ୟୁ ହେବା ପରେ ଜଳନ୍ଧର ଆସନ ଖାଲି ପଡ଼ିଥିଲା ।

ଏହି ବିଜୟକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦଳୀୟ ମୁଖ୍ୟାଳୟରେ କହିଛନ୍ତି, ଆପ୍ ଆଜି ଲୋକସଭାରେ ପ୍ରବେଶ କରିଛି, ଦେଶର ଜନତା ଚାହିଁଲେ ଆମେ ମଧ୍ୟ ଲୋକସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିବୁ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ କହିଛନ୍ତି ଯେ ଆମେ ଧର୍ମ କିମ୍ବା ଜାତିର ରାଜନୀତି କରୁନାହୁଁ। ମୋହଲ୍ଲା କ୍ଲିନିକ, ସ୍କୁଲ, ମାଗଣା ବିଜୁଳି ଓ ଉତ୍ତମ ଭିତ୍ତିଭୂମି ଉପରେ ଭୋଟ୍ ମାଗିଥିଲୁ। ଏହା ଭଲ ଯେ ଲୋକମାନେ ସକାରାତ୍ମକ ରାଜନୀତିକୁ ପସନ୍ଦ କରିବା ଆରମ୍ଭ କରିଛନ୍ତି ।

Comments are closed.