ଆଜିଠୁ ଉତ୍ସବ ମୁଖର ହେବ ଅଯୋଧ୍ୟା , ୧୮ ରେ ମୂର୍ତ୍ତି ସ୍ଥାପନା

ଉତ୍ସବମୁଖର ହୋଇ ଉଠିଲାଣି ସମଗ୍ର ଅଯୋଧ୍ୟା। ଚାରିଆଡ଼େ ଶୁଭୁଛି କେବଳ ରାମ ନାମ। ରାମ ଲୀଳାରେ ଉବୁଟୁବୁ ହେଉଛନ୍ତି ସମଗ୍ର ଦେଶବାସୀ। ପାଖେଇ ଆସିଲାଣି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଆସନ୍ତା ୨୨ରେ ଏହି ଭବ୍ୟ ସମାରୋହ ଅନୁଷ୍ଠିତ ହେବ । ଏହାର ୫ ଦିନ ପୂର୍ବରୁ ଅର୍ଥାତ ଆଜିଠୁ ଅଯୋଧ୍ୟାରେ ବିଭିନ୍ନ ଧାର୍ମିକ ରୀତିନୀତି ଆରମ୍ଭ ହେଉଛି।

ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଲାଗି ଆଜିଠୁ ଆରମ୍ଭ ହୋଇଯିବ ଧାର୍ମିକ ରୀତିନୀତି। ଏଥିଲାଗି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ ପ୍ରସ୍ତୁତି। ଆଜି ପ୍ରାୟଶ୍ଚିତ ଓ କର୍ମକୁଟି ପୂଜନ କାର୍ଯ୍ୟକ୍ରମ ରହିଛି। ସେହିପରି ଆସନ୍ତାକାଲି ଭବ୍ୟ ମୂର୍ତ୍ତି ପରିସର ପ୍ରବେଶ ହେବ।

ଜାନୁଆରୀ ୧୮ ତାରିଖ ସଂଧ୍ୟାରେ ତୀର୍ଥ ପୂଜନ, ଜଳଯାତ୍ରା, ଜଳାଧିବାସ ଓ ଗନ୍ଧାଧିବାସ ରୀତିନୀତି ରହିଛି। ଜାନୁଆରୀ ୧୯ ସକାଳେ ଔଷଧାଧିବାସ, କେଶରାଧିବାସ, ଘୃତାଧିବାସ ଏବଂ ସଂଧ୍ୟାରେ ଧ୍ୟାନାଧିବାସ ନୀତି ରହିଛି।

ସେହିପରି ଜାନୁଆରୀ ୨୦ ତାରିଖ ସକାଳେ ଶର୍କରାଧିବାସ, ଫଳାଧିବାସ ଏବଂ ସଂଧ୍ୟାରେ ପୁଷ୍ପାଧିବାସ ରହିଛି। ଏହା ପରଦିନ ୨୧ ଜାନୁଆରୀ ସକାଳେ ମଧ୍ୟାଧିବାସ ଓ ସଂଧ୍ୟାରେ ଶଯ୍ୟାଧିବାସ ରହିଛି। ୧୮ ତାରିଖରେ ଦେଢ଼ଶହରୁ ୨ ଶହ କିଲୋଗ୍ରାମ ଓଜନର ରାମଲାଲାଙ୍କ ବିଗ୍ରହକୁ ଗର୍ଭଗୃହରେ ସ୍ଥାପନ କରାଯିବ।

Comments are closed.