ପୁଣି ସଂସଦ ସୁରକ୍ଷାରେ ତ୍ରୁଟି, ଲୋକସଭାରେ ପଶିଲେ ଦୁଇ ଅଭିଯୁକ୍ତ

ସଂସଦ ଆକ୍ରମଣ ବାର୍ଷିକୀରେ ହୋଇଛି ସୁରକ୍ଷା ଭଙ୍ଗ । ସଂସଦ ସୁରକ୍ଷା ବ୍ୟବସ୍ଥାରେ ଦେଖାଦେଇଛି ବଡ଼ ତ୍ରୁଟି । ଲୋକସଭା ସୁରକ୍ଷାରେ ବଡ଼ ଧରଣର ତ୍ରୁଟି ଆଜି ସାମ୍ନାକୁ ଆସିଛି। ସୁରକ୍ଷା ବଳୟ ଭେଦ କରି ଲୋକସଭାରେ ପଶିଗଲେ ଦୁଇ ଅଜ୍ଞାତ ଯୁବକ । ସେମାନଙ୍କ ପରିଚୟ ମିଳିପାରିନି । ଆଜି ପାର୍ଲାମେଣ୍ଟ ଆକ୍ରମଣକୁ ୨୨ ବର୍ଷ ପୂରିଥିବା ବେଳେ କିପରି ଏପରି ସାଂଘାତିକ ତ୍ରୁଟି ଘଟିଲା ତାହା ସମଗ୍ର ଦେଶବାସୀଙ୍କୁ ଚକିତ କରିଛି।

ଏହି ଘଟଣାରେ ସମୁଦାୟ ୪ ଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟର ଦୁଇ ଜଣ ସଂସଦ ଭିତରେ ପଶିଥିବା ବେଳେ ଦୁଇ ଜଣ ପରିବହନ ଭବନ ସାମ୍ନାରେ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ବାହାରେ ଥିବା ଦୁଇ ଜଣଙ୍କ ମଧ୍ୟରେ ଜଣେ ଯୁବତୀ ଥିଲେ। ସମସ୍ତଙ୍କଠାରୁ ଧୂଆଁ ନିର୍ଗତ ସାମଗ୍ରୀ ଜବତ କରାଯାଇଛି। ଦିଲ୍ଲୀ ପୁଲିସ୍ ସେମାନଙ୍କୁ ନିଜ ହେପାଜତକୁ ନେଇ ପଚରାଉଚରା କରୁଥିବା ଜଣାପଡ଼ିଛି।

ଆଜି ଲୋକସଭା ଚାଲିଥିବା ବେଳେ ହଠାତ୍‌ ଦର୍ଶକ ଗ୍ୟାଲେରିରୁ ୨ ଜଣ ଯୁବକ ସାଂସଦମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନକୁ ଡେଇଁ ପଡ଼ିଥିଲେ। ସେମାନେ ବେଞ୍ଚରୁ ବେଞ୍ଚକୁ ଡେଇଁବାକୁ ଲାଗିଥିଲେ। ଏଥିସହ କିଛି ଧୂଆଁ ନିର୍ଗତ ସାମଗ୍ରୀ ଫିଙ୍ଗବାକୁ ଉଦ୍ୟମ କରିଥିଲେ। ସାଂସଦମାନେ ସେମାନଙ୍କୁ କାବୁ କରିଥିଲେ। ପରେ ପରେ ସୁରକ୍ଷାକର୍ମୀମାନେ ପହଞ୍ଚି ସେମାନଙ୍କୁ ସେଠାରୁ ନେଇ ଯାଇଥିଲେ। ଏହି ଘଟଣା ପରେ ବାଚସ୍ପତି ଲୋକସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବି କରିଥିଲେ।

ଏହି ଘଟଣା ସଂସଦ ସୁରକ୍ଷାରେ ବଡ଼ ତ୍ରୁଟି ବୋଲି ଆଲୋଚନା ହେଉଛି। ଉକ୍ତ ସମୟରେ ଲୋକସଭାରେ ଉପସ୍ଥିତ ଥିବା କିଛି ସାଂସଦ ବାହାରକୁ ଆସିବା ପରେ ନିଜ ଅନୁଭୂତି ବଖାଣିଛନ୍ତି।
ବିଜେପି ସାଂସଦ ଖରଗେନ ମୁର୍ମୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପ୍ରଥମେ ଲୋକସଭା ଗ୍ୟାଲେରିରୁ ଜଣେ ଯୁବକ ହଲ୍ ଭିତରକୁ ଡେଇଁଥିଲେ। ଏହାପରେ ବେଞ୍ଚରୁ ବେଞ୍ଚକୁ ଭିତରେ ଡେଇଁବାକୁ ଲାଗିଲେ। ପରେ ପରେ ଅନ୍ୟ ଜଣେ ଯୁବକ ଦର୍ଶକ ଗ୍ୟାଲେରିରୁ ଭିତରକୁ ପ୍ରବେଶ କରିଥିଲେ। ଏହାପରେ ଉଭୟ ଲୋକସଭା ଭିତରେ ଚାରିଆଡ଼େ ଡେଇଁବାକୁ ଲାଗିଲେ। କିଛି ସମୟ ପରେ ସେମାନେ ନିଜ ଜୋତାରୁ କିଛି ହଳଦିଆ ରଙ୍ଗର ଗ୍ୟାସ୍‌ ନିର୍ଗତ କରିବାରୁ ହଲ୍‌ର ଚାରିଆଡ଼ ଧୂଆଁମୟ ହୋଇଗଲା। ଏହାଦେଖି ସାଂସଦମାନେ ଚାରିଆଡ଼େ ଦୌଡ଼ିବାକୁ ଲାଗିଥିଲେ। କିଛି ସମୟର କସରତ ପରେ ଉପସ୍ଥିତ କିଛି ସାଂସଦ ସେମାନଙ୍କୁ କାବୁ କରି ସୁରକ୍ଷା କର୍ମୀଙ୍କୁ ହସ୍ତାନ୍ତର କରିଥିଲେ। ଏହାପରେ ତୁରନ୍ତ ଉକ୍ତ ଦୁଇ ଅଜ୍ଞାତ ଯୁବକଙ୍କୁ ପାର୍ଲାମେଣ୍ଟ ଷ୍ଟ୍ରିଟ୍‌ ପୁଲିସ୍‌ ଷ୍ଟେଶନକୁ ନିଆଯାଇଥିଲା।

Comments are closed.