ପୁଣି ୟୁକ୍ରେନକୁ ସହାୟତାର ହାତ ବଢାଇଲେ ଆମେରିକା

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଜି ଅଚାନକ ୟୁକ୍ରେନ ଗସ୍ତ କରିଛନ୍ତି। ବାଇଡେନ ୟୁ‌କ୍ରେନରେ ପହଞ୍ଚିବା ପରେ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କିଙ୍କ ସହ ମିଶି କିବ୍‌ ରାସ୍ତାରେ ଏକାଠି ଚାଲିବା ଦେଖିବାକୁ ମିଳିଛି। ବାଇଡେନ୍‌ ଆଜି କିବ୍‌ରେ ୫ ଘଣ୍ଟାରୁ ଅଧିକ ସମୟ ବିତାଇଛନ୍ତି। ଗତବର୍ଷ ‌ଫେବ୍ରୁ୍ଆରି ୨୪ରେ ୟୁକ୍ରେନ ଉପରେ ରୁଷ୍‌ ଆକ୍ରମଣ କରିଥିଲା। ଯୁଦ୍ଧକୁ ବ‌ର୍ଷେ ପୂରିବାର ୪ ଦିନ ପୂର୍ବରୁ ବାଇଡେନଙ୍କ ଏହି ଅଘୋଷିତ ଗସ୍ତକୁ ରାଜନୈତିକ ଓ କୂଟନୈତିକ ମହଲରେ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ମ‌ନେ କରାଯାଉଛି। ଉକ୍ତ ଗସ୍ତ ସହ ବାଇଡେନ ୟୁକ୍ରେନକୁ ଆଜି ଏକ ନୂଆ ଶକ୍ତି ଯୋଗାଇଛନ୍ତି। ଆମେରିକା ୟୁକ୍ରେନ୍‌କୁ ଅଧିକ ୫୦ କୋଟି ଡଲାରର ସାମରିକ ସହାୟତା ଦେବ ବୋଲି ବାଇଡେନ ଆଜି ଜେଲେନସ୍କିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

‌ୟୁକ୍ରେନ ରାଜଧାନୀ କିବ୍‌କୁ ରୁଷ୍‌ ଦଖଲ କରିନେବ ବୋଲି ବର୍ଷକ ତଳେ ଯେଉଁ ଭୟ ଥିଲା ତାକୁ ମନେ ପକାଇ ବାଇଡେନ ଜେଲେନ୍‌ସ୍କିଙ୍କୁ କହିଛନ୍ତି, ବର୍ଷକ ପରେ, କିବ୍‌ ରହିଛି ଏବଂ ୟୁକ୍ରେନ ରହିଛି। ଗଣତନ୍ତ୍ର ମଧ୍ୟ ଅଛି। ଆମେରିକା ଏବଂ ସମଗ୍ର ବିଶ୍ବ ୟୁକ୍ରେନ ସହ ରହିଛି। ଗୋଟିଏ ବର୍ଷ ପୂର୍ବେ ପୁଟିନ ଯେତେବେଳେ ଯୁଦ୍ଧ ଆରମ୍ଭ କରିଥିଲେ ସେ ସମୟରେ ସେ ଭାବିଥିଲେ ଯେ ୟୁକ୍ରେନ ଦୁର୍ବଳ ଏବଂ ପଶ୍ଚିମ ରାଷ୍ଟ୍ରମାନେ ବିଭାଜିତ ହୋଇଯିବେ। କିନ୍ତୁ ସେ ସମ୍ପୂର୍ଣ୍ଣ ଭାବେ ଭୁଲ୍‌ ଥିଲେ। ବାଇଡେନ କହିଛନ୍ତି, ୟୁକ୍ରେନକୁ ବହୁ ମୁଲ୍ୟ ଦେବାକୁ ପଡ଼ିଛି। । ଆମେ ଜାଣିଛୁ ଯେ ଆଗକୁ ଆହୁରି କଷ୍ଟକର ଦିନ ରହିଛି। କିନ୍ତୁ ୟୁକ୍ରେନର ଭୌଗୋଳିକ ଅଖଣ୍ଡତାର ସୁରକ୍ଷା ଦିଗରେ ଆମେରିକା ୟୁକ୍ରେନ ସହ ସର୍ବଦା ରହିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, କିବ୍‌ ମୋ ହୃଦୟର ଏକ ଅଂଶକୁ ଦଖଲ କରିନେଇଛି।

Comments are closed.