ପୁଣି କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଝଟକା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର (ସିଇସି) ଓ ନିର୍ବାଚନ କମିସନର (ଇସି)ଙ୍କୁ ନିଯୁକ୍ତି ଦେବାଲାଗି ରହିଥିବା ପଦ୍ଧତିକୁ ସୁପ୍ରିମ୍‌କୋର୍ଟ ଗୁରୁବାର ବାତିଲ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଏଣିକି ପ୍ରଧାନମନ୍ତ୍ରୀ, ପ୍ରଧାନବିଚାରପତି (ସିଜେଆଇ) ଓ ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ ପ୍ୟାନେଲ ଦ୍ବାରା ସିଇସି ଓ ଇସିମାନଙ୍କୁ ନିଯୁକ୍ତି ଦିଆଯିବ। ସିବିଆଇ ନିର୍ଦ୍ଦେଶକଙ୍କୁ ଯେମିତି ନିଯୁକ୍ତି ଦିଆଯାଉଛି, ସିଇସି ଓ ଇସିମାନଙ୍କୁ ସେହି ପଦ୍ଧତିରେ ନିଯୁକ୍ତି ଦେବା ଲାଗି ଆଗତ ପିଟିସନ ଉପରେ ପାଞ୍ଚଜଣିଆ ସମ୍ବିଧାନ ବେଞ୍ଚର ସମସ୍ତ ସଦସ୍ୟ ସମସ୍ବରରେ ଏକମତ ହୋଇଥିଲେ। ଏହାଦ୍ବାରା ନିର୍ବାଚନ ଆୟୋଗ ସରକାରୀ ନିୟନ୍ତ୍ରଣମୁକ୍ତ ହୋଇ ଅଧିକ ସ୍ବାଧୀନ, ସ୍ବଚ୍ଛ ଓ ନିରପେକ୍ଷ ହୋଇପାରିବ ବୋଲି ଆବେଦନକାରୀ ଯୁକ୍ତି କରିଥିଲେ। କୋର୍ଟ କହିଲେ ଯେ, ଯଦି ବିରୋଧୀ ଦଳ ନେତା କେହି ନ ଥାନ୍ତି, ତେବେ ଲୋକସଭାରେ ବିରୋଧୀ ଦଳଗୁଡ଼ିକ ମଧ୍ୟରୁ ଯେଉଁ ଦଳର ସଦସ୍ୟ ସଂଖ୍ୟା ସବୁଠାରୁ ଅଧିକ ହୋଇଥିବ (ଏକକ ବୃହତ୍ତମ ବିରୋଧୀ ଦଳ), ସେହି ଦଳର ନେତା ପ୍ୟାନେଲରେ ଅନ୍ତର୍ଭୁକ୍ତ ରହିବେ।

ସୂଚନାଯୋଗ୍ୟ, ମୁଖ୍ୟ ନିର୍ବାଚନ କମିସନର ଓ ନିର୍ବାଚନ କମିସନରମାନଙ୍କ ନିଯୁକ୍ତି ଲାଗି କଲେଜିୟମ୍ ଶୈଳୀରେ ଏକ କମିଟି ଗଠନ ଲାଗି କୋର୍ଟରେ ଆବେଦନ କରାଯାଇଥିଲ। ପାଞ୍ଚଜଣିଆ ସମ୍ବିଧାନ ବେଞ୍ଚରେ ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ସହ ଥିଲେ ଜଷ୍ଟିସ୍ ଅଜୟ ରସ୍ତୋଗି, ଅନିରୁଦ୍ଧ ବୋଷ, ହୃଷୀକେଶ ରାୟ ଓ ସିଟି ରବିକୁମାର।

Comments are closed.