ପୁଣି ଏକାଠି ହେଲେ ଇରାନ ଓ ସାଉଦି ଆରବ

0

ଦୁବାଇ: ଚୀନ୍‌ ମଧ୍ୟସ୍ଥତା କରିବା ପରେ ଚରମ ଶତ୍ରୁ ଇରାନ୍‌ ଓ ସାଉଦୀ ଆରବ ପରସ୍ପର ମଧ୍ୟରେ ପୁନର୍ବାର ସୁ-ସମ୍ପର୍କ ସ୍ଥାପନ କରିବାକୁ ଶୁକ୍ରବାର ଦିନ ରାଜି ହୋଇଥିବା କଥା ସେମାନେ ଜାରି କରିଥିବା ମିଳିତ ବିବୃତିରେ କହିଛନ୍ତି।

ଦୀର୍ଘ ୭ ବର୍ଷ ହେବ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତତାର ଚରମ ସୀମା ସ୍ପର୍ଶ କରିଥିଲା। ସ୍ମରଣଯୋଗ୍ୟ, ସାଇତ୍‌ ମୌଲବୀ ନିମର୍‌ ଅଲ୍‌-ନିମର୍‌ଙ୍କୁ ସାଉଦୀ କର୍ତ୍ତୃପକ୍ଷ ମୃତ୍ୟୁଦଣ୍ଡ ଦେବା ପରେ ଇରାନୀୟ ପ୍ରତିବାଦକାରୀମାନେ ୨୦୧୬ରେ ଇରାନ୍‌ରେ ଥିବା ଦୂତାବାସଗୁଡ଼ିକ ଉପରେ ଆକ୍ରମଣ କରିଥିଲେ। ସେବେଠାରୁ ରିୟାଦ୍‌ ତେହେରାନ୍‌ଠାରୁ ସମ୍ପର୍କ ଛିନ୍ନ କରିଦେଇଥିଲା।

ପରବର୍ତ୍ତୀ ସମୟରେ ସାଇତ୍‌ ସମ୍ପ୍ରଦାୟ ସଂଖ୍ୟାଗରିଷ୍ଠତା ଥିବା ଇରାନ୍‌ ଏବଂ ସୁନ୍ନି ମୁସଲ୍‌ମାନ୍‌ ବହୁଳ ସାଉଦି ଆରବ ୟେମେନ୍‌ ସମେତ ସମଗ୍ର ମଧ୍ୟପ୍ରାଚ୍ୟରେ ଥିବା କେତେକ ସଂଘର୍ଷ କ୍ଷେତ୍ରରେ ପରସ୍ପରର ଶତ୍ରୁପକ୍ଷଙ୍କୁ ସମର୍ଥନ କରି ଅସ୍ଥିରତା ସୃଷ୍ଟି କରୁଥିଲେ।

ରାଷ୍ଟ୍ରାୟତ ନିଉଜ୍‌ ଏଜେନ୍‌ସି ‘ଇର୍‌ନା’ କହିଛି: ଆଲୋଚନା ପରେ, ଇରାନ୍‌ ଇସ୍‌ଲାମିକ୍‌ ସାଧାରଣତନ୍ତ୍ର ଏବଂ ସାଉଦି ଆରବ ରାଜତନ୍ତ୍ରର ପୁନଶ୍ଚ କୂଟନୈତିକ ସମ୍ପର୍କ ଆରମ୍ଭ କରି ଦୁଇ ମାସ ମଧ୍ୟରେ ଦୂତାବାସ ଓ ମିସନ୍‌ ଖୋଲିବାକୁ ରାଜି ହୋଇଛନ୍ତି।

ରାଷ୍ଟ୍ରାୟତ ସାଉଦି ପ୍ରେସ୍‌ ଏଜେନ୍‌ସି ମଧ୍ୟ ବିବୃତି ଜାରି କରି କହିଛି ଯେ, ଏହି ଘୋଷଣା ପୂର୍ବରୁ ବେଜିଙ୍ଗ୍‌ରେ ୫ ଦିନ ଧରି ଆଲୋଚନା ଚାଲିଥିଲା। ସାଉଦି ଆରବୀୟ ପ୍ରତିପକ୍ଷଙ୍କ ସହିତ ବିଶଦ୍‌ ଆଲୋଚନା କରି ତେହେରାନ୍‌ ଓ ରିୟାଦ୍‌ ମଧ୍ୟରେ ଥିବା ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ଇରାନ୍‌ର ସୁପ୍ରିମ୍‌ ନ୍ୟାସ୍‌ନାଲ୍‌ ସିକ୍ୟୁରିଟି କାଉନ୍‌ସିଲ୍‌ର ସଚିବ ଅଲି ଶାମଖାନି ସୋମବାର ଦିନ ବେଜିଙ୍ଗ୍‌ ଗସ୍ତ କରିଥିଲେ।

Leave A Reply

Your email address will not be published.