ଅଗ୍ନିପଥ ହିଂସା, ଚାଲିଯାଉଛି ନିରୀହ ଜୀବନ

ନୂଆଦିଲ୍ଲୀ : ଭାରତୀୟ ସେନାରେ ଚୁକ୍ତିଭିତ୍ତିକ ନିଯୁକ୍ତି ‘ଅଗ୍ନିପଥ’ ଯୋଜନା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ମୁଣ୍ଡ ଟେକିଥିବା ଆନ୍ଦୋଳନ କ୍ରମଶଃ ହିଂସ୍ର ହେବାରେ ଲାଗିଛି। ତିନି ସଶସ୍ତ୍ର ବାହିନୀରେ ଏହି ସ୍ବଳ୍ପକାଳୀନ ନିଯୁକ୍ତିକୁ ଦେଶବ୍ୟାପୀ ବିରୋଧ କରାଯାଇଛି। ଆଶାୟୀମାନେ ନିଯୁକ୍ତି ଆଶା ଛାଡ଼ି ଆଇନକୁ ହାତକୁ ନେବାକୁ ବାଧ୍ୟ ହେଉଛନ୍ତି। ବିହାର, ଉତ୍ତର ପ୍ରଦେଶ, ରାଜସ୍ଥାନ, ହରିୟାଣା, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ତେଲଙ୍ଗାନା, ଉତ୍ତରାଖଣ୍ଡ, ଦିଲ୍ଲୀ, ପଶ୍ଚିମବଙ୍ଗ, ଓଡ଼ିଶା ସମେତ ଦେଶର ବିଭିନ୍ନ ଭାଗରେ ବିକ୍ଷୋଭକାରୀ ରାସ୍ତା ଅବରୋଧରୁ ନେଇ ରେଳ ଧାରଣା ଓ ଷ୍ଟେଶନଗୁଡ଼ିକରେ ଭଙ୍ଗାରୁଜା, ଅଫିସ ପୋଡ଼ି ଓ ଟ୍ରେନ୍‌ ଜାଳିବା ଭଳି ଚରମ ପଦକ୍ଷେପ ନେଉଛନ୍ତି। ପୋଲିସ ସେମାନଙ୍କୁ ଘଉଡ଼ାଇବାକୁ ଯାଇ ବଳ ପ୍ରୟୋଗ କରୁଛି। ଏହି କ୍ରମରେ ତେଲଙ୍ଗାନାର ସିକନ୍ଦରାବାଦରେ ବିକ୍ଷୋଭ ବେଳେ ପୋଲିସ ଗୁଳିରେ ଜଣେ ୧୯ ବର୍ଷୀୟ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଛି। ସବୁଠୁ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଓଡ଼ିଶାର ବାଲେଶ୍ୱର ଜିଲା ସୋର ଅନ୍ତର୍ଗତ ଟେଣ୍ଟେଇ ଗ୍ରାମରେ, ଯେଉଁଠି ଧନଞ୍ଜୟ ମହାନ୍ତି ନାମକ ଜଣେ ଆଶାୟୀ ଲିଖିତ ପରୀକ୍ଷାରୁ ବଞ୍ଚତ୍ତ ହେବା ପରେ ବୁଧବାର ରାତିରେ ଆମତ୍ହତ୍ୟା କରିଛନ୍ତି। ଅଗ୍ନିପଥ ନିଅଁା ବ୍ୟାପିବାରେ ଲାଗିଥିବାବେଳେ କେନ୍ଦ୍ର ସରକାର ୩ କୃଷି ଆଇନ ଭଳି ଏହି ବିବାଦୀୟ ଯୋଜନାକୁ ପ୍ରତ୍ୟାହାର କରନ୍ତୁ ବୋଲି ଦାବି ଜୋର୍‌ ଧରିଛି। ତମାମ ବିକ୍ଷୋଭ ଓ ହିଂସା ପରେ ସରକାର ଅଗ୍ନିବୀରଙ୍କ ନିଯୁକ୍ତି ଲାଗି ସର୍ବୋଚ୍ଚ ବୟସ ସୀମା ୨୩କୁ ବୃଦ୍ଧି କରିଛନ୍ତି। ଏଥିସହ ଆସନ୍ତା ୨୪ରେ ଅଗ୍ନିପଥ ସ୍କିମ୍‌ରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଘୋଷଣା କରିଛନ୍ତି। ତେଣୁ ଆଗକୁ ସ୍ଥିତି ଆହୁରି ଅଣାୟତ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି।

Comments are closed.