ଅଗ୍ନିପଥ ହିଂସା, କଟକରେ ଲାଠି ଚାର୍ଜ

କଟକ ଅଫିସ :  ସୈନ୍ୟବାହିନୀରେ ଚୁକ୍ତିଭିତ୍ତିକ ନିଯୁକ୍ତି ଯୋଜନା ‘ଅଗ୍ନିପଥ’ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ବିଶେଷକରି ଏହା ହିଂସାତ୍ମକ ରୂପ ଧାରଣ କରୁଛି। ଏହାର ପ୍ରଭାବ କଟକରେ ମଧ୍ୟ ଦେଖିବାକୁ ମିଳିଛି । ଶୁକ୍ରବାର ଶତାଧିକ ଆଶାୟୀ ସକାଳ ପ୍ରାୟ ୯.୪୦ ମିନିଟରେ କଟକ ଚଣ୍ଡୀ ଛକ ନିକଟରେ ହାତରେ ଢେଲା, ବାଡ଼ି, ଠେଙ୍ଗାଧରି ବିକ୍ଷୋଭ ପ୍ରଦର୍ଶନ କରି ରାସ୍ତାକୁ ଓହ୍ଲାଇଥିଲେ। ନିଜ ଭବିଷ୍ୟତ ଚିନ୍ତାରେ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରିଛନ୍ତି। ଏଥିସହ ୨୦୨୧ରେ ଦେଇଥିବା ପରୀକ୍ଷାର ଲିଖିତ ପରୀକ୍ଷା ବାତିଲକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେଠାରୁ ଶତାଧିକ ଆଶାୟୀ ପ୍ରାର୍ଥୀ କଟକ କ୍ୟାଣ୍ଟନ୍‌ମେଣ୍ଟସ୍ଥିତ ସ୍ଥଳସେନା ନିଯୁକ୍ତି କାର୍ଯ୍ୟାଳୟ ଆଗରେ ପହଞ୍ଚତ୍ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିସହ ରିଙ୍ଗ୍‌ ରୋଡ୍‌ରେ ବିକ୍ଷୋଭକାରୀମାନେ ରାସ୍ତା ଅବରୋଧ କରିଥିଲେ। ଏହାପରେ ପୋଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଥିଲେ। ପରିସ୍ଥିତି ଜଟିଳ ହେବାରୁ ପୋଲିସ ପକ୍ଷରୁ ଲାଠିମାଡ଼ ମଧ୍ୟ ହୋଇଥିଲା। ତେବେ ବିକ୍ଷୋଭକାରୀଙ୍କ ରାସ୍ତା ଅବରୋଧ କାରଣରୁ ଯାତାୟାତ କରୁଥିବା ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେହିପରି କିଛି ଆନ୍ଦୋଳନକାରୀଙ୍କୁ ପୋଲିସ ଅଟକ ମଧ୍ୟ ରଖିଛି। ଘଟଣାସ୍ଥଳରେ ଡିସିପି ପିନାକ ମିଶ୍ର ପହଞ୍ଚତ୍ ବିକ୍ଷୋଭକାରୀଙ୍କୁ ବୁଝାଶୁଝା କରିଥିଲେ। ଏହି ଯୋଜନାରେ ପିଲାଙ୍କ ପାଇଁ ଭବିଷ୍ୟତ ଥିବା ଡିସିପି କହିଛନ୍ତି। ଆଇନକୁ ହାତକୁ ନେଲେ ପୋଲିସ କେସ୍‌ ହେବା ସହ ଭବିଷ୍ୟତ ଉପରେ ପ୍ରଭାବ ପଡ଼ିବ। ଅଗ୍ନିପଥ ଯୋଜନାକୁ ନେଇ ଯଦି କିଛି ଅଭିଯୋଗ ଅଛି ତେବେ ଠିକ୍‌ ଫୋରମରେ ଅଭିଯୋଗ କରନ୍ତୁ। ଭଙ୍ଗାରୁଜା ଓ ବେଆଇନ୍‌ କାମ ନ କରି ଶୃଂଖଳା ରକ୍ଷା କରିବାକୁ ଆନ୍ଦୋଳନକାରୀଙ୍କୁ ଡିସିପି ବୁଝାଉଥିବା ଦେଖିବାକୁ ମିଳିଥିଲା।

Comments are closed.