ଏଣିକି ସୈନିକ ସ୍କୁଲରେ ନାମ ଲେଖାଇପାରିବେ ଝିଅ: ମଞ୍ଜୁରୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ: ଦେଶର ସମସ୍ତ ସୈନିକ ସ୍କୁଲରେ ଏଣିକି ନାମ ଲେଖାଇପାରିବେ ଝିଅ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଏହି ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛନ୍ତି । ଏହାପୂର୍ବରୁ ସୈନିକ ସ୍କୁଲରେ କେବଳ ପୁଅମାନେ ନାମ ଲେଖାଉଥିଲେ । ମିଜୋରାମର ଚିଙ୍ଗିଚିପ୍ ସୈନିକ ସ୍କୁଲରେ ପାଇଲଟ ପ୍ରୋଜେକ୍ଟ ଭାବେ ଏହାକୁ ଦୁଇ ବର୍ଷ ପୂର୍ବେ ଆରମ୍ଭ କରାଯାଇଥିଲା । ଏହି ପାଇଲଟ୍ ପ୍ରୋଜେକ୍ଟ ସଫଳ ହେବା ପରେ ପୂରା ଦେଶରେ ଏହାକୁ ଲାଗୁ କରିବା ପ୍ରସ୍ତାବରେ ମୋହର ମାରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।
ତେବେ ଆସନ୍ତା ୨୦୨୧-୨୨ ଶିକ୍ଷାବର୍ଷରୁ ସୈନିକ ସ୍କୁଲରେ ଝିଅ ମାନେ ପାଠ ପଢିପାରିବେ । ଝିଅମାନେ ନାମ ଲେଖାଇବା ପୂର୍ବରୁ ସୈନିକ ସ୍କୁଲର ଭିତ୍ତିଭୂମି ଓ ସ୍କୁଲରେ ମହିଳା ଷ୍ଟାଫ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜନାଥ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଆରମ୍ଭ ହୋଇଥିବା ‘ବେଟି ବଚାଓ ବେଟି ପଢାଓ’ କାର୍ଯ୍ୟକ୍ରମକୁ ଆଗକୁ ବଢାଇବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।
Comments are closed.