ନାବାଳିକା ଉପରେ ମାଡିଗଲା ହାଇୱା

କେନ୍ଦ୍ରାପଡ଼ା-ଦାନପୁର ରାସ୍ତାର ଝିଙ୍କଡି ହାଟବାଣପୁର ଛକରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ହାଇୱା ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନବମ ଶ୍ରେଣୀର ଛାତ୍ରୀ ଲକ୍ଷ୍ମୀପ୍ରିୟା ଲେଙ୍କା ।

ସୂଚନା ଅନୁସାରେ ଏହି ରାସ୍ତା ଦେଇ ବାଲି ବୋଝେଇ ହାଇୱା ଯାଉଥିବା ବେଳେ ଭାରସାମ୍ୟ ହରାଇ ସେହି ରାସ୍ତାରେ ସାଇକେଲ ଯାଉଥିବା ୧୩ବର୍ଷୀୟା ନାବାଳିକା ଉପରେ ଚଢ଼ି ଯାଇଥିଲା । ଘଟଣା ସ୍ଥଳରେ ନାବାଳିକାର ମୃତ୍ୟୁ ହୋଇଛି । ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଭଙ୍ଗାରୁଜା କରିବା ସହ ଡ୍ରାଇଭରକୁ ମାଡ଼ ମାରିଥିଲେ। ପରେ ଡ୍ରାଇଭରକୁ ପୁଲିସ ଜିମାରେ ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି। ମୃତ ଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି ଓ ପୁଲିସ ଘଟଣାର ତଦନ୍ତ କରୁଛି।

Comments are closed.