ଜ୍ଞାନବ୍ୟାପି ମସଜିଦର ବେସ୍‌ମେଣ୍ଟରେ ଘଟିଲା ଐତିହାସିକ ଘଟଣା, ଆରମ୍ଭ ହେଲା ପୂଜାର୍ଚ୍ଚନା

ଦୀର୍ଘ ୩୦ ବର୍ଷର ବ୍ୟବଧାନ ପରେ ଜ୍ଞାନବ୍ୟାପି ମସଜିଦର ବେସ୍‌ମେଣ୍ଟରେ ଘଟିଲା ଐତିହାସିକ ଘଟଣା। ରାତି ଅଧରେ ହେଲା ପୂଜା ପାଠ, କରାଗଲା ଆଳତି। ଗତ ୩୦ ବର୍ଷ ହେଲା ଏଠାରେ ପୂଜାର୍ଚ୍ଚନା ଉପରେ ରୋକ ଲଗା ଯାଇଥିବା ବେଳେ ଗତକାଲି ବାରାଣସୀର ଗୋଟିଏ କୋର୍ଟଙ୍କ ରାୟ ପରେ ବଦଳିଛି ଦୀର୍ଘ ବର୍ଷର ନିୟମ । କିନ୍ତୁ ଏହା ଏପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଉନ୍ମକ୍ତ ହୋଇ ନାହିଁ ।

କୋର୍ଟଙ୍କ ରାୟ ପରେ ଜ୍ଞାନବ୍ୟାପି ମସଜିଦର ବେସ୍‌ମେଣ୍ଟରେ ଗତକାଲି ବିଳମ୍ବିତ ରାତିରେ ଅଚାନକ ଗହଳଚହଳଳି ବଢ଼ିବାକୁ ଲାଗିଥିଲା। ରାତି ପ୍ରାୟ ୧୦ଟା ବେଳେ ବାରଣାସୀ ଜିଲ୍ଲାପାଳ ଓ ଡିଆଇଜି ଜ୍ଞାନବ୍ୟାପୀ ମସଜିଦ ପରିସରରେ ପହଞ୍ଚିଲେ। ଏହାପରେ ସେଠାରେ ଥିବା ବ୍ୟାରିକେଟକୁ ହଟାଯିବା ସହ ଜ୍ଞାନବ୍ୟାପୀ ପରିସର ବାହାରେ ପୁଲିସ୍‌ ସୁରକ୍ଷାକୁ ବଢ଼ାଇ ଦିଆଯାଇଥିଲା। ଏହି ସମୟରେ ଜ୍ଞାନବ୍ୟାପି ମସଜିଦ ବାହାରେ ହିନ୍ଦୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।

ରାତି ପ୍ରାୟ ୨ଟା ବେଳେ ଉଭୟ ଜିଲ୍ଲାପାଳ ଓ ଡିଆଇଜି ବାହାରକୁ ଆସି କୋର୍ଟଙ୍କ ନିୟମର ଅନୁପାଳନ କରାଯାଇ ପୂଜାର୍ଚ୍ଚନା କରାଯାଇଥିବା ସୂଚନା ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାସ୍ତା ପ୍ରସ୍ତୁତ ସହ ବ୍ୟାରିକେଟ ହଟାଯିବା ସହ ସୁରକ୍ଷାର ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ପୁଲିସ୍‌ କମିଶନର ଅଶୋକ ମୁଥା ଜୈନ ସୂଚନା ଦେଇଥିଲେ।

ଏହି ମାମଲାରେ ହିନ୍ଦୁ ପକ୍ଷର ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ କରାଯାଇଛି। କେବିଏମ୍‌ ଟ୍ରଷ୍ଟର ପୂଜାରୀଙ୍କ ଦ୍ୱାରା ମୂର୍ତ୍ତି ସ୍ଥାପନ କରାଯିବା ପରେ ଶୟନ ଆଳତି କରାଯାଇଛି। ଏଥିସହ ଅଖଣ୍ଡ ଜ୍ୟୋତି ବି ପ୍ରଜ୍ୱଳନ କରାଯାଇଛି। ଏବେଠୁ ପ୍ରତିଦିନ ସକାଳେ ମଙ୍ଗଳ ଆଳଳି, ଭୋର ଆଳତି ଓ ସନ୍ଧ୍ୟା ଆଳତି ସହ ଶୟନ ଆଳତି ବି କରାଯିବ ।

Comments are closed.