ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଯିବ ୨ହଜାର ପୋଷ୍ଟକାର୍ଡ
ଭୁବନେଶ୍ୱର : ଅଲ୍ ଓଡିଶା ଇପିଏଫ୍ ପେନସନର୍ସ ଆସୋସିଏଶନ ଖୋର୍ଦ୍ଧା ଜିଲା ଶାଖା କାର୍ଯ୍ୟକାରିଣୀ କମିଟି ବୈଠକ ସଭାପତି ପ୍ରଫୁଲ୍ଲ କୁମାର ଦାସଙ୍କ ଅଧ୍ୟକ୍ଷତାରେ ରବିବାର ବୟନିକା କର୍ମଚାରୀ ସଂଘ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ଦାବି ପୂରଣରେ ଭାରତ ସରକାରଙ୍କ ଟାଳଟୁଳ ନୀତିକୁ ଦୃଢ଼ ଭାବେ ନିନ୍ଦା କରାଯାଇ ଥିଲା। ଏଥିସହ ପ୍ରତିବାଦ ସ୍ବରୂପ ରାଜ୍ୟ କମିଟିର ନିଷ୍ପତ୍ତିକ୍ରମେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ୩୦ ହଜାର ପୋଷ୍ଟକାର୍ଡ ପଠାଇବା ଅଭିଯାନକୁ ସ୍ବାଗତ କରାଯାଇଥିଲା। ଜୁନ୍ ଶେଷ ସୁଦ୍ଧା ଖୋର୍ଦ୍ଧା ଜିଲା କମିଟି ପକ୍ଷରୁ ୨ହଜାର ପୋଷ୍ଟକାର୍ଡ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଯିବ ବୋଲି ସୂଚନା ଦିଆଯାଇଛି। ସାଧାରଣ ସମ୍ପାଦକ ମାୟାଧର ମଲ୍ଲିକ ବିବରଣୀ ପାଠ କରିବା ସହିତ ସର୍ବନିମ୍ନ ପେନ୍ସନ ୯ହଜାର ଟଙ୍କାକୁ ବୃଦ୍ଧି ଓ ମହଙ୍ଗା ଭତ୍ତା ପ୍ରଦାନ କରିବା, ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ବର୍ଦ୍ଧିତ ପେନ୍ଶନ ତୁରନ୍ତ ପ୍ରଦାନ କରିବା ଓ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ମାଗଣା ଚିକିତ୍ସା ଆଦି ୩ ଦଫା ଦାବି ଉପସ୍ଥାପନ କରିଥିଲେ। ବୈଠକରେ ରାଜ୍ୟ କମିଟି ସଭାପତି ବିଜୟ କୁମାର ଜେନା, ସାଧାରଣ ସମ୍ପାଦକ ତଥା କେନ୍ଦ୍ର ଉପ ସଭାପତି ଭାଗ୍ୟଧର ବ୍ରହ୍ମା, ଖୋର୍ଦ୍ଧା ଜିଲା କମିଟି ଉପସଭାପତି ସଚ୍ଚିଦାନନ୍ଦ ସାମନ୍ତରାୟ, ହରେକୃଷ୍ଣ ବେହେରା, ଯୁଗ୍ମ ସମ୍ପାଦକ ନବକିଶୋର ରଣା ପ୍ରମୁଖ ଉପସ୍ଥିତ ଥିଲେ। ନିଗମ କର୍ମଚାରୀ ମହାସଂଘ ମହାସଚିବ ସରୋଜ କାନ୍ତ ମଲ୍ଲିକ ଧନ୍ୟବାଦ ଦେଇଥିଲେ।
Comments are closed.