ଆଜିଠୁ ଡ୍ରୋନ୍ ଫେଷ୍ଟିଭାଲ ଆରମ୍ଭ, ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜିଠାରୁ ଅନୁଷ୍ଠିତ ହେବାକୁ ଯାଉଛି ଭାରତର ସବୁଠୁ ବଡ଼ ଡ୍ରୋନ୍ ଫେଷ୍ଟିଭାଲ।  ଦିଲ୍ଲୀର ପ୍ରଗତି ମୈଦାନରେ ଅନୁଷ୍ଠିତ ହେଉଥିବା ଏହି ଫେଷ୍ଟିଭାଲକୁ ଆଜି ଦିନ ୧୦ଟାରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ଚାଲିବ ଏହି ଡ୍ରୋନ୍ ମହୋତ୍ସବ । ପ୍ରଧାନମନ୍ତ୍ରୀ କିଷାନ୍ ଡ୍ରୋନ୍ ପାଇଲଟଙ୍କ ସହ କଥା ହେବାର କାର୍ଯ୍ୟକ୍ରମ ରହିଛି ।

ଏହା ସହିତ ଡ୍ରୋନ୍ ନିର୍ମାଣରେ ଯେଉଁମାନେ ଷ୍ଟାର୍ଟ ଅପ୍ ବ୍ୟବସାୟ ଆରମ୍ଭ କରିଛନ୍ତି ସେମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ  କଥା ହେବାର ସୁଯୋଗ ପାଇବେ । ଆତ୍ମନିର୍ଭର ଭାରତ ଏବଂ ମେକ୍ ଇନ୍ ଇଣ୍ଡିଆ ଅଧିନରେ ଯେଉଁ ଡ୍ରୋନ୍ ପ୍ରସ୍ତୁତ ହୋଇଛି ସେହିସବୁ ଡ୍ରୋନ୍‌କୁ ଅଧିକ ଗୁରୁତ୍ବ ଦିଆଯିବ । ମୁକ୍ତାକାଶ ଡ୍ରୋନ୍ ଉଡାଣ ପ୍ରଦର୍ଶନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଏହି ଦୁଇ ଦିନିଆ ଭରତ ଡ୍ରୋନ୍ ମହୋତ୍ସବ ସମୟରେ  ୧୬୦୦ରୁ ଅଧିକ ପ୍ରତିନିଧୀ ଅଂଶଗ୍ରହଣ କରିବେ। ଅନେକ ଶିଳ୍ପପତି, ସରକାରୀ କର୍ମଚାରୀ, ବିଦେଶୀ କୂଟନୀତିଜ୍ଞ, ପବ୍ଲିକ୍ ସେକ୍ଟର ୟୁନିଟ୍ ର ପ୍ରତିନିଧୀ, ଘରୋଇ କମ୍ପାନୀ ଏବଂ ଡ୍ରୋନ୍ ଷ୍ଟାର୍ଟଅପ୍ ମହୋତ୍ସବରେ ଅଂଶଗ୍ରହଣ କରିବେ ଏବଂ ଭାରତର ବେସାମରିକ ବିମାନ ଚଳାଚଳ କ୍ଷେତ୍ର ଉପରେ ବିଚାରବିମର୍ଶ କରିବେ।

Comments are closed.