ଚିଲିକାରେ ସରିଲା ପୌରାଞ୍ଚଳ ଉପାଧ୍ୟକ୍ଷ ନିର୍ବାଚନ – ବାଲୁଗାଁରେ ଭଗବାନ, ବାଣପୁରରେ ପ୍ରାଚୀ ପ୍ରଭା ନିର୍ବାଚିତ
ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଗୁରୁବାର ଦିନ ରାଜ୍ୟର ସମସ୍ତ ପୌରାଞ୍ଚଳରେ ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ସରିଛି । ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳିର ବାଣପୁର ଏବଂ ବାଲୁଗାଁ ଏନଏସିରେ ଉପାଧ୍ୟକ୍ଷ ଭାବେ ବିଜେଡି କାଉନସିଲର ନିର୍ବାଚିତ ହୋଇଛନ୍ତି ।
୧୫ ଗୋଟି ୱାର୍ଡ ବିଶିଷ୍ଟ ବାଣପୁର ଏନଏସିରେ ଉପାଧ୍ୟକ୍ଷ ପାଇଁ ବିଜେପି ପକ୍ଷରୁ ୮ ନମ୍ବର ୱାର୍ଡ କାଉନସିଲର ସସ୍ମିତା ପୃଷ୍ଟି ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେଡି ପକ୍ଷରୁ ୧୪ ନମ୍ବର ୱାର୍ଡ କାଉନସିଲର ପ୍ରାଚୀ ପ୍ରଭା ସ୍ୱାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତେବେ ପ୍ରାଚୀଙ୍କୁ ସମୁଦାୟ ୧୦ ଖଣ୍ଡ ଭୋଟ ମିଳିଥିବା ବେଳେ ସସ୍ମିତାଙ୍କୁ ୫ ଖଣ୍ଡ ଭୋଟ ମିଳିଥିଲା।ଏହି ଅନୁସାରେ ନିର୍ବାଚନ ଅଧିକାରୀ ବାଣପୁର ତହସିଲଦାର ପ୍ରାଚୀ ପ୍ରଭା ସ୍ୱାଇଁଙ୍କୁ ବିଜୟୀ ଘୋଷିତ କରିଛନ୍ତି। ଏବଂ ପ୍ରାଚୀ ବାଣପୁର ଏନଏସିର ନବ ନିର୍ବାଚିତ ଉପାଧ୍ୟକ୍ଷା ହୋଇଛନ୍ତି ।ସେହିପରି ଭାବେ ୧୧ ଗୋଟି ୱାର୍ଡ ବିଶିଷ୍ଟ ବାଲୁଗାଁ ଏନଏସିରେ ଉପାଧ୍ୟକ୍ଷ ପାଇଁ ବିଜେପି ପକ୍ଷରୁ ୯ ନମ୍ବର ୱାର୍ଡ କାଉନସିଲର ବିପ୍ଳବୀ ରବିଶଙ୍କର ସାହୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେଡି ପକ୍ଷରୁ ୧୧ ନମ୍ବର ୱାର୍ଡ କାଉନସିଲର ଭଗବାନ ପ୍ରଧାନ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତେବେ ଭଗବାନଙ୍କୁ ସମୁଦାୟ ୬ ଖଣ୍ଡ ଭୋଟ ମିଳିଥିବା ବେଳେ ବିପ୍ଳବୀଙ୍କୁ ୩ ଖଣ୍ଡ ଭୋଟ ମିଳିଥିଲା ଏବଂ ବିଜେପିର ଦୁଇ କାଉନସିଲର ଅନୁପସ୍ଥିତ ଥିଲେ। ଏହି ଅନୁସାରେ ନିର୍ବାଚନ ଅଧିକାରୀ ଚିଲିକା ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡା ୧୧ନଂ କାଉନସିଲର ଭଗବାନ ପ୍ରଧାନଙ୍କୁ ବିଜୟୀ ଘୋଷିତ କରିଛନ୍ତି। ଏଥି ସହିତ ଭଗବାନ ପ୍ରଧାନ ବାଲୁଗାଁ ଏନଏସିର ନବ ନିର୍ବାଚିତ ଉପାଧ୍ୟକ୍ଷ ହୋଇଛନ୍ତି ।
Comments are closed.