ସ୍ତ୍ରୀ କୌଣସି ସମ୍ପତ୍ତି ବା ଦାସୀ ନୁହେଁ, ସାଙ୍ଗରେ ରହିବାକୁ ବାଧ୍ୟ କରିପାରିବନି ସ୍ୱାମୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପତ୍ନୀମାନେ କୌଣସି ସମ୍ପତ୍ତି ବା ବସ୍ତୁ ନୁହଁନ୍ତି । ପତ୍ନୀଙ୍କୁ ନିଜ ସାଥୀରେ ରଖିବାକୁ ଇଛା ଥିଲେ ବି ଏଥିପାଇଁ ଜବରଦସ୍ତି କରିପାରିବେ ନାହିଁ ସ୍ୱାମୀ । ବୁଧବାର ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି ସମୟରେ ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି, ସ୍ତ୍ରୀଙ୍କୁ ଜୋରଜବରଦସ୍ତି ନିଜ ସାଥୀରେ ରହିବାକୁ କୁହାଯାଇପାରିବ ନାହିଁ ।

ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ ପିଟିସନ ଦାୟର କରି କୋର୍ଟ ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ସହିତ ରହିବାକୁ ଆଦେଶ ଦେବାକୁ ଅନୁରୋଧ କରିଥିଲେ । ଏହି ମାମଲାର ଶୁଣାଣି ସମୟରେ ବିଚାରପତି ଏସ.କେ. କୌଲ ଏବଂ ବିଚାରପତି ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଆପଣଙ୍କୁ କ’ଣ ଲାଗୁଛି ? କ’ଣ ମହିଳା କାହାର ଗୁଲାମ ଯେ, ଆମେ ଏଭଳି ଆଦେଶ ଦେବୁ ? କ’ଣ ସ୍ତ୍ରୀ ଆପଣଙ୍କ ବ୍ୟକ୍ତିଗତ ସମ୍ପତ୍ତି ଯେ, ତାଙ୍କୁ ଆପଣଙ୍କ ସହିତ ଯିବାକୁ ନିର୍ଦେଶ ଦିଆଯାଇପାରିବ ?

ତେବେ ୨୦୧୩ରେ ସମ୍ପୃକ୍ତ ବ୍ୟକ୍ତିଙ୍କର ବାହାଘର ହୋଇଥିଲା । କିନ୍ତୁ ଯୌତୁକକୁ ନେଇ ମହିଳାଙ୍କୁ ନିର୍ଯାତନା ଦେଇଆସୁଥିଲେ ସ୍ୱାମୀ । ଏହା ପରେ ମହିଳା ଜଣକ ବାଧ୍ୟ ହୋଇ ଅଲଗା ରହୁଛନ୍ତି । ୨୦୧୫ରେ ସେ ଭରଣପୋଷଣ ଭତ୍ତା ପାଇଁ ଗୋରଖପୁର କୋର୍ଟରେ ମାମଲା ଦାୟର କରିଥିଲେ । ମହିଳାଙ୍କୁ ଭରଣପୋଷଣ ବାବଦରେ ପ୍ରତି ମାସରେ ୨୦ ହଜାର ଟଙ୍କା ପ୍ରଦାନ କରିବାକୁ ତାଙ୍କ ସ୍ୱାମୀଙ୍କୁ ଆଦେଶ ଦେଇଥିଲେ କୋର୍ଟ । କିନ୍ତୁ ଏହା ପରେ ସ୍ୱାମୀ ଦାମ୍ପତ୍ୟ ଅଧିକାରର ପୁନରୁଦ୍ଧାର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ କରିଥିଲେ । ପତ୍ନୀଙ୍କୁ ନିଜ ସାଥୀରେ ରହିବାକୁ ସ୍ୱାମୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ସ୍ତ୍ରୀଙ୍କୁ ଜୋରଜବରଦସ୍ତି ନିଜ ସାଥୀରେ ରହିବାକୁ କୁହାଯାଇପାରିବ ନାହିଁ ବୋଲି କୋର୍ଟ ଗୁରୁତ୍ୱପୂର୍ଣ୍ଣ ଶୁଣାଇଛନ୍ତି ।

Comments are closed.