ଲିଙ୍ଗରାଜ : ମାଟିତଳୁ ବାହାରିଲା ମନ୍ଦିର ଭଳି ଢାଞ୍ଚା

ଭୁବନେଶ୍ୱର,୨୮ ।୧: ଏକାମ୍ରକ୍ଷେତ୍ର ସୌନ୍ଦର୍ଯ୍ୟକରଣ ପାଇଁ ମନ୍ଦିର ଚାରିପାଖେ ମାଟିଖୋଳା ଚାଲିଛି । ଏହାରି ମଧ୍ୟରେ ଲିଙ୍ଗରାଜ ମନ୍ଦିର ନିକଟରେ ମାଟିତଳୁ ମନ୍ଦିର ଭଳି ଢାଞ୍ଚା ବାହାରିଛି । ସୁକଶାରୀ ମନ୍ଦିର ନିକଟରେ ଖୋଦେଇ ବେଳେ ମନ୍ଦିର ଭଳି ଢାଞ୍ଚା ବାହାରିଛି । ତେବେ ପ୍ରାୟ ୧୨ ଫୁଟ ଗଭୀର ଖୋଳା ସରିଲାଣି । ଓଡିଶା ନିର୍ମାଣ ସେତୁ ନିଗମ ପକ୍ଷରୁ ଖୋଦେଇ କାମ ଚାଲିଛି । ମନ୍ଦିର ଭଳି ଢାଞ୍ଚା ମିଳିବା ପରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଅନୁଧ୍ୟାନ କରାଯାଉଛି ।

ତେବେ ଶ୍ରୀମନ୍ଦିର ଢାଞ୍ଚାରେ ଶ୍ରୀଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଐତିହ୍ୟସ୍ଥଳ ଗୌରବମୟ ହେଲେ ବିଶ୍ବରେ ଶ୍ରେଷ୍ଠ ପରିଚୟ ବହନ କରିବା ଯୋଜନା ରଖାଯାଇଛି। ଏଥିଲାଗି ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ଶ୍ରୀବୃଦ୍ଧି କରିବାକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ସୌନ୍ଦର୍ଯ୍ୟକରଣ ପାଇଁ ଟାଇଲ ପକାଇ କୃତ୍ରିମ ବଗିଚା ସୃଷ୍ଟି କରାଯାଇଛି। ଲିଙ୍ଗରାଜ ମନ୍ଦିରକୁ ସଂଲଗ୍ନ ହୋଇଥିବା ସବୁ ରାସ୍ତାର ପ୍ରଶସ୍ଥି କରଣ, ବିନ୍ଦୁ ସାଗର ଚାରିପାଖ ବିକାଶ, ବ୍ୟାଟେରି ଚାଳିତ ଗାଡ଼ିର ବ୍ୟବହାର, ବ୍ରଜବନ୍ଧୁ କଲ୍ୟାଣ ମଣ୍ଡପ ନିକଟ ଉତ୍ତର ଗେଟ୍‌ ବସ୍‌ ପାର୍କିଂରେ ଉତ୍ତର ପ୍ଲାଜାର ବିକାଶ, ଆଲୋକୀକରଣ ବ୍ୟବସ୍ଥା ଭଳି ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥି ସହ ଆସନ୍ତା ଶିବରାତ୍ରୀ ସୁଦ୍ଧା ସମସ୍ତ କାର୍ଯ୍ୟ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.