ସାଂସଦଙ୍କୁ କ୍ୟାଣ୍ଟିନ୍ ରିହାତି ବନ୍ଦ

ନୂଆଦିଲ୍ଲୀ,୧୯ ।୧: ସଂସଦ ଭବନର କ୍ୟାଣ୍ଟିନରେ ସାଂସଦମାନଙ୍କୁ ଆଉ ମିଳିବନି ରିହାତି । ଫଳରେ କ୍ୟାଣ୍ଟିନରେ ଖାଇବାକୁ ହେଲେ ଏବେ ବଜାର ଦର ଅନୁସାରେ ସାଂସଦମାନଙ୍କୁ ଟଙ୍କା ଦେବାକୁ ପଡ଼ିବ। ଏନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଘୋଷଣା କରିଛନ୍ତି । ଏହାଦ୍ୱାରା ସରକାରଙ୍କୁ ବାର୍ଷିକ ୮ କୋଟି ଟଙ୍କା ଫାଇଦା ହେବ ବୋଲି ବାଚସ୍ପତି କହିଛନ୍ତି । ଅନ୍ୟମାନଙ୍କ ପାଇଁ ମଧ୍ୟ ରିହାତି ବ୍ୟବସ୍ଥାର ଉଚ୍ଛେଦ ପାଇଁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ସାଂସଦମାନଙ୍କୁ ସବସିଡିରେ ୩୫ ଟଙ୍କାରେ ଖାଇବାକୁ ମିଳୁଥିଲା। ସାଂସଦମାନଙ୍କ ଘର ପାଖରେ କୋଭିଡ ଟେଷ୍ଟ ପାଇଁ ବ୍ୟବସ୍ଥା ହେବ । ଜାନୁଆରୀ ୨୭ ଓ ୨୮ରେ ସଂସଦ ପରିସରରେ ବି ଆରଟି-ପିସିଆର ପରୀକ୍ଷା ହେବ ।

ତେବେ ଜାନୁଆରୀ ୨୯ ତାରିଖରୁ ଲୋକସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ୧୫ ଫେବ୍ରୁଆରୀ ଯାଏଁ ଚାଲିବ । ମାର୍ଚ୍ଚ ୮ରୁ ଏପ୍ରିଲ ୮ ଯାଏଁ ଏହାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ । ଏନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସୂଚନା ଦେଇଛନ୍ତି । ଲୋକସଭା କାର୍ଯ୍ୟ ଅପରାହ୍ନ ୪ଟାରୁ ରାତି ୯ଟା ଯାଏଁ ଚାଲିବ । ରାଜ୍ୟସଭାର କାର୍ଯ୍ୟ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୩ଟା ଯାଏଁ ଚାଲିବ ।

Comments are closed.