ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଭାରତ ଗସ୍ତ ବାତିଲ
ନୂଆଦିଲ୍ଲୀ,୫ ।୧: ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଭାରତ ଗସ୍ତ ବାତିଲ ହୋଇଛି । ଜାନୁଆରୀ ୨୬ରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁଥିବା ଗଣତନ୍ତ୍ର ଦିବସ ସମାରୋହରେ ବୋରିସ୍ ଜନସନ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ ହୋଇଥିଲେ । କିନ୍ତୁ ଇଂଲଣ୍ଡରେ କରୋନାର ନୂଆ ଷ୍ଟ୍ରେନ୍ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନରେ କଥା ହୋଇଛନ୍ତି ବୋରିସ୍ । ଭାରତ ଗସ୍ତ ବାତିଲକୁ ନେଇ ବୋରିସ ଦୁଃଖପ୍ରକାଶ କରିଛନ୍ତି । ଏହି ଟେଲିଫୋନ ଆଲୋଚନା ବେଳେ ଦୁଇ ରାଷ୍ଟ୍ରମୁଖ୍ୟ ଦ୍ବିପାକ୍ଷିକ ଓ ଅନ୍ୟ ଦେଶମାନଙ୍କ ସହ ସମ୍ପର୍କକୁ ଆହୁରି ସୁଦୃଢ କରିବା ଲାଗି ସହମତ ହୋଇଥିଲେ ।
ବର୍ତ୍ତମାନ ସମୟରେ ବ୍ରିଟେନରେ କରୋନା ଜୀବାଣୁର ନୂତନ ଷ୍ଟ୍ରେନ୍ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି | ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ବ୍ରିଟେନ ଏହି ପଦକ୍ଷେପ ନେଇଥିବା କୁହାଯାଉଛି । କରୋନା ଭାଇରସର ନୂତନ ଷ୍ଟ୍ରେନର ଶୀଘ୍ର ବିସ୍ତାର ହେବାର ଆଶଙ୍କା ମଧ୍ୟରେ ବ୍ରିଟେନରେ ପୁଣି ଥରେ ଲକଡାଉନ ଘୋଷଣା କରାଯାଇଛି । ଆଜି ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କହିଛନ୍ତି ଯେ, ‘ସଂକ୍ରମଣର ଶୀଘ୍ର ବ୍ୟାପିବା ଅତ୍ୟନ୍ତ ଦୁଃଖଦାୟକ ଏବଂ ଚିନ୍ତାଜନକ । ବର୍ତ୍ତମାନ ଦେଶର ଡାକ୍ତରଖାନା ଉପରେ ମହାମାରୀ ସର୍ବାଧିକ ଚାପରେ ରହିଛି।’ ଏ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଯିବା ସମ୍ଭବ ନୁହେଁ ବୋଲି ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଡାଉନିଂ ଷ୍ଟ୍ରିଟ୍ ପକ୍ଷରୁ କୁହାଯାଇଛି ।
Comments are closed.