ମୁଣ୍ଡ କାହିଁକି ବିନ୍ଧା ହୁଏ, ଆପଣ ଜାଣିଛନ୍ତି

ସମସ୍ତଙ୍କ ଗୋଟାଏ ସାଧାରଣ ରୋଗ ହୋଇଛି ମୁଣ୍ଡ ବିନ୍ଧା । ଜୀବନରେ ସମସ୍ତେ ଏହାର ଶିକାର ନିଶ୍ଚୟ ହୋଇଥିବେ । ତେବେ ବିଶ୍ୱରେ କିଛି ଲୋକ ନିୟମିତ ଗମ୍ଭୀର ମୁଣ୍ଡ ବିନ୍ଧାର ଶିକାର ମଧ୍ୟ ହୋଇଥାନ୍ତି । ନରୱେ ବିଶ୍ୱବିଦ୍ୟାଳୟର ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ବୈଜ୍ଞାନିକମାନେ ଏଭଳି ରୋଗୀଙ୍କ ତଥ୍ୟକୁ ନେଇ ବଡ଼ ଖୁଲାସା କରିଛନ୍ତି । ସେମାନଙ୍କ କହିବା ଅନୁସାରେ, ବିଶ୍ୱର ୫୨ ପ୍ରତିଶତ ଲୋକ ବିଭିନ୍ନ ପ୍ରକାର ମୁଣ୍ଡ ବିନ୍ଧାର ଶିକାର ହେଉଛନ୍ତି । ଏଥିରେ ମାଇଗ୍ରେନ୍‌, ସାଧାରଣ ମୁଣ୍ଡ ବିନ୍ଧା, ଚିନ୍ତା ଜନିତ ମୁଣ୍ଡ ବିନ୍ଧା ଆଦି ସାମିଲ ।

ଗବେଷଣା ପାଇଁ ବୈଜ୍ଞାନିକମାନେ ୧୯୬୧ରୁ ୨୦୨୦ ମସିହା ପର୍ଯ୍ୟନ୍ତ ହୋଇଥିବା ଗବେଷଣାଗୁଡ଼ିକର ଅଧ୍ୟୟନ କଲେ, ଯେଉଁଥିରେ ମୁଣ୍ଡ ବିନ୍ଧା ସମ୍ପର୍କିତ ତଥ୍ୟ ଥିଲା । ବୈଜ୍ଞାନିକମାନେ କହିଛନ୍ତି, ବିଶ୍ୱରେ ୧୪ ପ୍ରତିଶତ ଲୋକ ମାଇଗ୍ରେନ୍‌ ରୋଗୀ । ୨୬ ପ୍ରତିଶତ ଲୋକ ଏତେ ଚିନ୍ତାରେ ଅଛନ୍ତି ଯେ ତାହା ଗମ୍ଭୀର ମୁଣ୍ଡ ବିନ୍ଧାର କାରଣ ହେଉଛି । ଗବେଷଣା ଅନୁସାରେ, ବିଶ୍ୱରେ ପ୍ରତିଦିନ ୧୫.୮ ପ୍ରତିଶତ ଲୋକ ମୁଣ୍ଡବିନ୍ଧାର ସମ୍ମୁଖୀନ ହେଉଛନ୍ତି ।

ଗବେଷଣା ଅନୁସାରେ, ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ପ୍ରତ୍ୟେକ ପ୍ରକାର ମୁଣ୍ଡ ବିନ୍ଧା ଅଧିକ ହେଉଛି। ବିଶ୍ୱରେ ୧୭ ପ୍ରତିଶତ ମହିଳା ମାଇଗ୍ରେନ୍‌ ରୋଗୀ ହୋଇଥିବାବେଳେ ୮.୫ ପ୍ରତିଶତ ପୁରୁଷ ଏହାର ଶିକାର ହେଉଛନ୍ତି । ପ୍ରାୟ ୬ ପ୍ରତିଶତ ମହିଳାଙ୍କ ମଣ୍ଡ ବିନ୍ଧା ଲଗାତାର ୧୫ ଦିନ ବା ତା’ଠୁ ଅଧିକ ସମୟ ହେଉଛି । ଅନ୍ୟପକ୍ଷେ, ପୁରୁଷଙ୍କଠାରେ ଏହା ମାତ୍ର ୨.୯ ପ୍ରତିଶତ ଦେଖାଦେଇଛି।

ପ୍ରତି ବର୍ଷ ମାଇଗ୍ରେନ୍‌ ସମସ୍ୟା ବଢ଼ିଚାଲିଛି । ଗବେଷଣାରେ ସାମିଲ ବୈଜ୍ଞାନିକଙ୍କ କହିବା ଅନୁସାରେ, ଏହାର ଅନେକ କାରଣ ରହିଛି । ଏହା ମାନସିକଠୁ ଆରମ୍ଭ କରି ଶାରୀରିକ, ପରିବେଶଗତ, ବ୍ୟବହାରିକ ଏବଂ ମନସ୍ତାତ୍ତ୍ୱିକ ହୋଇପାରେ । ଟେକ୍ନୋଲୋଜିର ବିକାଶ ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ଆଜି ଅଧିକରୁ ଅଧିକ ଲୋକ ଟେକ୍ନୋଲୋଜି ସାହାଯ୍ୟରେ ନିଜ ସମସ୍ୟା ଡାକ୍ତରଙ୍କୁ କହୁଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ନୂଆ ଟେକ୍ନୋଲୋଜି ଜରିଆରେ ରୋଗୀଙ୍କ ଚିକିତ୍ସା କରୁଛନ୍ତି ।

Comments are closed.