ଭୂମି କମ୍ପରେ ଥରିଲା ନେପାଲ

ନୂଆଦିଲ୍ଲୀ: ନେପାଳରେ ବଡ ଧରଣର ଭୂ-କମ୍ପ ଅନୁଭୂତ ହୋଇଛି। ଉକ୍ତ ଘଟଣାରେ ୬ ଜଣଙ୍କ ଜୀବନ ଯାଇଛି। ମୃତକମାନେ ହେଲେ ପଶ୍ଚିମ ନେପାଳର ଦୋତି ଜିଲ୍ଲାର ବୋଲି ମୁଖ୍ୟ ଜିଲ୍ଲା ଅଧିକାରୀ କଳ୍ପନା ଶ୍ରେଷ୍ଠ ପ୍ରକାଶ କରିଛନ୍ତି। ଏହି ଘଟଣାରେ ୫ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉକ୍ତ ଘଟଣାରେ ବିଭିନ୍ନ ସ୍ଥାନରେ ପ୍ରାୟ ୧୨ ଘର ଭୁଶୁଡ଼ି ପଡ଼ିଛି ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ନେପାଳ ସେନା ଉକ୍ତ ଅଞ୍ଚଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ଗତ ୨୪ ଘଣ୍ଟା ଭିତରେ ନେପାଳର ଦୋତି ଜିଲ୍ଲାରେ ୨ ଥର ଭୂ-କମ୍ପ ଅନୁଭୂତ ହୋଇଥିବା ସେଠାକାର ଅଧିକାରୀମାନେ କହିଛନ୍ତି। ଏହାର ପ୍ରଭାବରେ ଭାରତର ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ ବି ଥରି ଉଠିଛି। ରିକଟର ସ୍କେଲରେ ଭୂ-କମ୍ପର ମାତ୍ରା ଥିଲା ୬.୩। ପ୍ରାୟ ରାତି ୧.୫୭ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂ-କମ୍ପର କେନ୍ଦ୍ରସ୍ଥଳ ନେପାଳ ଥିଲା ବୋଲି ରାଷ୍ଟ୍ରୀୟ ଭୂ-କମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।ଏହାର ଝଟକାରେ ୧୦ କିମି ବ୍ୟାପୀ ଅଞ୍ଚଳ ଥରି ଉଠିଥିଲା। ନୂଆଦିଲ୍ଲୀରେ ଥିବା ଘରଗୁଡିକର ଝରକାଗୁଡିକ ହଲିଥିଲା, ଫ୍ୟାନଗୁଡିକ ବି ହଲିଥିଲା। ଘରର ଆସବାବପତ୍ର ହଲିବାରୁ ଲୋକେ ଭୟରେ ପଦାକୁ ଚାଲି ଆସିଥିଲେ।

Comments are closed.