ଋଷକୁ ଜି-୭ ରାଷ୍ଟ୍ରମାନେ ଦେଲେ ଚେତାବନୀ, ଜାଣନ୍ତୁ କାହିଁକି
ମସ୍କୋ : ଜି-୭ ରାଷ୍ଟ୍ରମାନେ ଆଜି ରୁଷ୍କୁ ଚେତାବନୀ ଦେଇଛନ୍ତି। ପରମାଣୁ ଅସ୍ତ୍ର ବ୍ୟବହାର କଲେ ରୁଷ୍ ଭୟଙ୍କର ପରିଣାମ ଭୋଗିବ ବୋଲି ଜି-୭ ରାଷ୍ଟ୍ରମାନେ ମିଳିତ ବିବୃତିରେ କହିଛନ୍ତି। ରୁଷ୍ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ବର୍ଷା କରିବାପରେ ଜି-୭ ରାଷ୍ଟ୍ରମାନେ ଏକ ଭର୍ଚୁଆଲ ବୈଠକ କରିଥିଲେ। ଏହି ବୈଠକରେ ସେମାନେ ରୁଷ୍ର କାର୍ଯ୍ୟକୁ କଡ଼ା ନିନ୍ଦା କରିବା ସହ ଶେଷ ପର୍ଯ୍ୟନ୍ତ କିବ୍କୁ ସମର୍ଥନ କରିବେ ବୋଲି ଦୃଢ଼ ସଂକଳ୍ପ ନେଇଛନ୍ତି। ଜି-୭ ରାଷ୍ଟ୍ରନେତାମାନେ କହିଛନ୍ତି, ଆମେ ପୁଣିଥରେ ଏହା ଦୋହରାଇବାକୁ ଚାହୁଛୁ ଯେ ଯଦି ରୁଷ୍ ଦ୍ବାରା କୌଣସି ପ୍ରକାର ରସାୟନିକ, ଜୈବିକ ଏବଂ ପରମାଣୁ ଅସ୍ତ୍ର ପ୍ରୟୋଗ କରାଯାଏ ତେବେ ଏହା ଭୟଙ୍କର ପରିଣାମ ଭୋଗିବ। ଜି-୭ ରାଷ୍ଟ୍ର ପକ୍ଷରୁ ଏନେଇ ଏକ ମିଳିତ ବିବୃତି ଜାରି କରାଯାଇଛି। ଏହି ମିଳିତ ବିବୃତିରେ କୁହାଯାଇଛି ଆମେ କିବ୍କୁ ସବୁ ପ୍ରକାର ସହଯୋଗ କରିବୁ। କିବ୍କୁ ଆମେ ଆର୍ଥିକ, ମାନବୀୟ, ସାମରିକ, କୂଟନୈତିକ ଏବଂ ନ୍ୟାୟିକ ସମର୍ଥନ ପ୍ରଦାନ କରିବୁ ଏବଂ ଶେଷ ପର୍ଯ୍ୟନ୍ତ କିବ୍ ସହ ରହିବୁ।
ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି ରୁଷ୍କୁ ଜବାବ ଦେବାପାଇଁ ଅଧିକ ସାମରିକ ସହଯୋଗ ଦେବାକୁ ଜି-୭ ରାଷ୍ଟ୍ରମାନଙ୍କୁ ଅନୁରୋଧ କରିଛନ୍ତି। ଗତ ଫେବ୍ରୁଆରିରେ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ପାଶ୍ଚାତ୍ୟ ରାଷ୍ଟ୍ରମାନେ ୟୁକ୍ରେନକୁ ଅସ୍ତ୍ର ଯୋଗାଇ ଆସୁଛନ୍ତି। ୟୁକ୍ରେନର ପ୍ରମୁଖ ସହରରେ ଗତ ୪୮ ଘଣ୍ଟା ମଧ୍ୟରେ ରୁଷ୍ ଯେଭଳି କ୍ଷେପଣାସ୍ତ୍ର ବର୍ଷା କରିଛି ସେନେଇ ଜାତିସଂଘ ମଧ୍ୟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସାଧାରଣ ଜନବସତି ଅଞ୍ଚଳରେ ସିଧାସଳଖ ଆକ୍ରମଣ ଯୁଦ୍ଧ ଅପରାଧ ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। ରୁଷ୍ ମିସାଇଲ ମାଡ଼ରେ ୟୁକ୍ରେନରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଶତାଧିକ ଆହତ ହୋଇଛନ୍ତି। ରୁଷ୍ ଆକ୍ରମଣରେ ୮ଟି ସ୍ଥାନରେ ୧୨ଟି ଶକ୍ତି ପ୍ରତିଷ୍ଠାନ ଧ୍ବଂସ ହେବାସହ ଶତାଧିକ କାର୍ଯ୍ୟାଳୟ ମାଟିରେ ମିଶିଯାଇଛି।
Comments are closed.