ମମତା କହିଲେ ମୋ ସମ୍ପତ୍ତି ଯାଞ୍ଚ କରାଯାଉ,କାହିଁକି ଏମିତି କହିଲେ
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ନାଁରେ ଥିବା ସମ୍ପତ୍ତିଗୁଡ଼ିକର ଯାଞ୍ଚ କରିବାକୁ ଆଜି ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଯଦି ଯାଞ୍ଚ ବେଳେ କୌଣସି ବେଆଇନ ସମ୍ପତ୍ତି ଠାବ ହୁଏ, ତା’ହେଲେ ସେଗୁଡ଼ିକ ଉପରେ ବୁଲଡୋଜର ଚଢ଼ାଇ ଦେବାକୁ ମଧ୍ୟ ସେ କହିଛନ୍ତି।
ଆଜି ମମତା ବାନାର୍ଜୀ ରାଜ୍ୟ ସଚିବାଳୟରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ବିରୋଧୀ ମମତା ଓ ତାଙ୍କ ପରିବାର ବିରୋଧରେ ବେଆଇନ ସମ୍ପତ୍ତି ଦଖଲ କରିଥିବା ଅଭିଯୋଗ ଆଣିଛନ୍ତି। ଏ ସମ୍ପର୍କରେ ଆଜି ମମତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ମମତା ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି। ଏଥିସହ ତାଙ୍କୁ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ କେନ୍ଦ୍ରୀୟ ଏଜେନ୍ସି ବେଆଇନ ସମ୍ପତ୍ତି ଦଖଲ ମାମଲାରେ ନୋଟିସ କରିବ, ତା’ହେଲେ ସେ ଆଇନଗତ ଉପାୟରେ ଏହା ବିରୋଧରେ ଲଢ଼େଇ କରିବେ ବୋଲି କହିଛନ୍ତି।
ମମତା କହିଛନ୍ତି, “ଆପଣମାନେ କହୁଛନ୍ତି ଯେ ଆମେ ବେଆଇନ ଭାବେ ସରକାରୀ ସମ୍ପତ୍ତି ଦଖଲ କରିଛୁ। ତେଣୁ ମୁଁ ମୁଖ୍ୟ ସଚିବଙ୍କୁ ଏହାର ଯାଞ୍ଚ ପାଇଁ କହିଛି। ଯଦି ସେଭଳି କୌଣସି ସମତ୍ତି ଠାବ ହୁଏ, ତା’ହେଲେ ସେଗୁଡ଼ିକ ଉପରେ ବୁଲଡୋଜର ଚଢ଼ାଇ ଦିଆଯାଉ।” ନିକଟରେ କ୍ୟାଲକାଟା ହାଇକୋର୍ଟରେ ଗୋଟିଏ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା। ଏଥିରେ ମମତା ବାନାର୍ଜୀଙ୍କ ସମ୍ପର୍କୀୟମାନଙ୍କ ସମ୍ପତ୍ତି ଯାଞ୍ଚ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା କରିବାକୁ ଦାବି କରାଯାଇଥିଲା।
Comments are closed.