ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୁତ୍ତ
ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୁତ୍ତ। ଗୁରୁତର ଅବସ୍ଥାରେ ଉଦ୍ଧାର କଲା ପୋଲିସ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି | ଅଭିଯୋଗ ମୁତାବକ ଆଜି ସକାଳେ ନାରଣଦେଇପୁର ଗ୍ରାମର ଶ୍ୟାମ ବାରିକଙ୍କ ପତ୍ନୀ ଲୀଳାବତୀ ବାରିକଙ୍କୁ ଗ୍ରାମର କିଛି ଦୁର୍ବୁତ୍ତ ତାଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ଲୀଳାବତୀ ଚେତାଶୂନ୍ୟ ହୋଇ ରାସ୍ତା ମଝିରେ ପଡ଼ିରହିଥିଲେ। ସୂଚନା ପାଇ ବାଣପୁର ପୋଲିସ ଗ୍ରାମରେ ପହଞ୍ଚି ରାସ୍ତାରୁ ଲୀଳାବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଣପୁର ମେଡିକାଲରେ ଭର୍ତ୍ତି କରିଛି | ଡାକ୍ତରଙ୍କ କହିବା ମୁତାବକ ଲୀଳାବତୀଙ୍କ ବେକ ଓ ଛାତିକୁ କେହି ଜଣେ ବଳପୂର୍ବକ ଚିପିଦେଇଛନ୍ତି। ଯାହା ଫଳରେ ଲୀଳାବତୀ କଥାବାର୍ତ୍ତା ମଧ୍ୟ କରିପାରୁନାହାନ୍ତି। ତାଙ୍କର ଉଚ୍ଚ ରକ୍ତଚାପ ମଧ୍ୟ ଅଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି | ସେପଟେ ଏପରି ଅମାନବୀୟ କାଣ୍ଡ ଘଟାଇଥିବା ଆକ୍ରମଣକାରୀଙ୍କୁ ଯଥାଶୀଘ୍ର ଗିରଫ କରାଯାଉ ବୋଲି ଲୀଳାବତୀଙ୍କ ପରିବାର ବର୍ଗ ଦାବି କରିଛନ୍ତି । ତେବେ ଏହା ପୂର୍ବଶତ୍ରୁତାକୁ ନେଇ ଘଟିଥିବାର ସାଧାରଣରେ ଚର୍ଚ୍ଚା ହେଉଛି |
Comments are closed.