ପ୍ରତୀକ୍ଷାର ଅନ୍ତ, ଉଡିଲା କାର

ନୂଆଦିଲ୍ଲୀ : କାର୍‌ରେ ବସି ଆକାଶରେ ଉଡିବାର ସ୍ୱପ୍ନ ହେବ ସତ।  ହଁ ଆଜ୍ଞା ଏବେ ଆପଣ ବି ଉଡନ୍ତା କାରରେ ବସି ଉଡିପାରିବେ ଏବଂ ରାସ୍ତାରେ ଏହି କାରରେ ବସି ବୁଲି ବି ପାରିବେ। ବିଜ୍ଞାନ ଏବଂ କାଳ୍ପନିକ ଫିଲ୍ମରେ ଦେଖିଥିବା ଉଡନ୍ତା କାର ଏବେ  ସତରେ ବଜାରରେ ଘୁରିବୁଲୁଛି। ଆମେରିକା ବଜାରକୁ ଆସିଛି ପ୍ରଥମ ଉଡନ୍ତା କାର ସ୍ୱିଚ୍‌ବ୍ଲେଡ।

ବଜାର ରେ ପ୍ରବେଶ ହଉ ହଉ ଏହାକୁ ହଜାର ହଜାର ସଂଖ୍ୟାରେ ଲୋକେ  ବୁକ୍‌ କରିଛନ୍ତି। ଆକାଶରେ ଉଡନ୍ତା ଗାଡିର ନିର୍ମାତା ସାମ୍‌ସନ୍‌ ସ୍କାଇ। ଦିର୍ଘ ୧୪ ବର୍ଷର ପରିଶ୍ରମ  ପରେ କମ୍ପାନିର ଉଡନ୍ତା କାର ପ୍ରୋଜେକ୍ଟ ସଫଳ ହୋଇଛି।  ଉଡାଣ  ପାଇଁ  କମ୍ପାନିକୁ  ଫେଡେରାଲ ଆଭିଏସନ୍‌  ଆଡମିନିଷ୍ଟ୍ରେସନ୍‌ ପକ୍ଷରୁ ଅନୁମତି ମିଳିଛି।  ସମସ୍ତ ସୁରକ୍ଷାମୂଳକ  ପରୀକ୍ଷାରେ ସ୍ୱିଚ୍‌ବ୍ଲେଡ ପାସ୍‌ କରିଛି। ଗୋଟିଏ ବଟନ୍‌  ଦବାଇଲେ  ମାତ୍ର ୩ ମିନିଟ୍‌ ମଧ୍ୟରେ  ଦ୍ରୁତ ବେଗରେ  ଏହି ତିନି ଚକିଆ  ସ୍ପୋର୍ଟସ କାର  ବିମାନରେ ରୂପାନ୍ତରିତ ହୋଇଯିବ।

ଏଫଏଏ ପ୍ରମାଣପତ୍ର ଓ ଆମେରିକା ବଜାରରେ ବିକ୍ରି ପାଇଁ ଉପଲବ୍ଧ ପ୍ରଥମ ଉଡନ୍ତା କାର ହେଉଛି ସ୍ୱିଚ୍‌ବ୍ଲେଡ।  ଏହାର ଏକ ପ୍ରତ୍ୟାହାରଯୋଗ୍ୟ ଲାଞ୍ଜ ଓ ମୋଡିହେବା ଯୋଗ୍ୟ ଡେଣା ରହିଛି।  ଘଣ୍ଟା ପ୍ରତି ୩୨୧ କିମି ବେଗରେ ୧୬,୦୦୦ ଫୁଟ ଉଚ୍ଚରେ ଉଡିବାରେ ଏହା ସକ୍ଷମ।  ତେବେ ରାସ୍ତାରେ  ଘଣ୍ଟା ପ୍ରତି ଶୀର୍ଷ ୨୦୧ ବେଗରେ ଏହା ଗତି କରିପାରିବ।

ଏକ ଜଟିଳ ଇଲେକ୍ଟ୍ରିକ ପାୱାରଟ୍ରେନ ଦ୍ୱାରା ଚାଳିତ ସ୍ୱିଚବ୍ଲେଡରେ ୧୯୦ ହର୍ସପାଓ୍ୱାରଯୁକ୍ତ ୧.୬ ଲିଟର ଯୁକ୍ତ ପେଟ୍ରୋଲ ଇଞ୍ଜିନ୍ ରହିଛି।  ଏକ ଇଲେକ୍ଟ୍ରିକ ପ୍ରୁପ୍‌ ମୋଟର ବି ଲାଗିଛି ।  ଏହି ଉଡନ୍ତା କାରଟି ୯୧ ଅକ୍ଟେନ୍‌ ଗ୍ୟାସ୍‌ରେ ଚାଲିବାର ସକ୍ଷମ।  ଏବେ ଫିଳ୍ମ ଦୁନିଆର ବାହାରକୁ ଆସି ସତରେ ଉଡନ୍ତା କାର୍‌ରେ ବସି ଉଡନ୍ତୁ ଆଉ ମଜା ନିଅନ୍ତୁ ।

Comments are closed.