ସପିଂ କରିବା ବେଳେ ଧ୍ୟାନ ଦିଅନ୍ତୁ
ବର୍ତ୍ତମାନ ସମସ୍ତ ଦୋକାନ ବଜାର ଖୋଲା। ନା ଅଛି କରୋନା କଟକଣା, ନା ଅଛି ସନ୍ଧ୍ୟା ପୂର୍ବରୁ ଦୋକାନ ବନ୍ଦ ହୋଇଯିବାର ଟେନ୍ସନ୍। ତେଣୁ ସବୁଠି ଗ୍ରାହକଙ୍କ ଭିଡ଼ ଜମୁଛି। ହେଲେ ଏବେ ବି କରୋନା ସଙ୍କଟ ସମ୍ପୂର୍ଣ୍ଣ ଦୂର ହୋଇ ନାହିଁ। ତେଣୁ ଶପିଂ ଲାଗି ବାହାରକୁ ଯାଉଥିଲେ ସୁରକ୍ଷା ଦୃଷ୍ଟିରୁ କେତେକ ଦିଗ
ପ୍ରତି ସତର୍କ ରହିବାକୁ ଭୁଲନ୍ତୁ ନାହିଁ…
ଶପିଂ ପାଇଁ ଯିବା ବେଳେ ପର୍ସନାଲ ଗାଡ଼ି ବ୍ୟବହାର କରନ୍ତୁ। କାରଣ ଅଟୋରିକ୍ସା, କାର୍ ଏବଂ ବସ୍ ଭଳି ପବ୍ଲିକ୍ ଟ୍ରାନ୍ସପୋର୍ଟ ବ୍ୟବହାର କରୁଥିଲେ ସଂକ୍ରମଣର ଆଶଙ୍କା ବେଶି।
ଶପିଂ ଲାଗି ବାହାରକୁ ଯିବା ବେଳେ ମାସ୍କ ନିଶ୍ଚୟ ପିନ୍ଧନ୍ତୁ।
କାରଣ କେବଳ କରୋନା ନୁହେଁ, ବର୍ତ୍ତମାନ ପ୍ରବଳ ବର୍ଷା ଯୋଗୁ ଅନେକଙ୍କଠାରେ ଥଣ୍ଡା, କାଶ ଏବଂ ଭାଇରାଲ୍ ଫିଭର୍ ଦେଖିବାକୁ ମିଳୁଛି, ଯାହାକି ଖୁବ୍ଶୀଘ୍ର ଅନ୍ୟକୁ ସଂକ୍ରମିତ ହୋଇଥାଏ। ନିହାତି ଆବଶ୍ୟକ ନ ଥିଲେ ବାହାରେ କାହା ସହ କଥା ହୁଅନ୍ତୁ ନାହିଁ। ଯଦିଓ କଥା ହେବାକୁ ଦରକାର ପଡ଼େ, ତେବେ ଦୂରତ୍ୱ ରକ୍ଷା କରନ୍ତୁ। ଶପିଂ ସାରିବାମାତ୍ରେ ତୁରନ୍ତ ହାତକୁ ସାନିଟାଇଜ୍ କରନ୍ତୁ। ଶପିଂ କରିଥିବା ସାମଗ୍ରୀକୁ ମଧ୍ୟ ସାନିଟାଇଜ୍ ନ କରି ବ୍ୟବହାର କରନ୍ତୁ ନାହିଁ।
ସଂକ୍ରମଣ ରୋକିବା ଲାଗି ସୋସିଆଲ୍ ଡିଷ୍ଟାନ୍ସିଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ତେଣୁ ସୁରକ୍ଷା ଦୃଷ୍ଟିରୁ କୌଣସି ଗହଳି ଥିବା ମାର୍କେଟ୍ ବା ଦୋକାନକୁ ଆଦୌ ଯାଆନ୍ତୁ ନାହିଁ। ଶପିଂ ମଲ୍ ଯାଉଥିଲେ ଅନ୍ୟ ଗ୍ରାହକ ଏବଂ ସେଲ୍ସ ପର୍ସନଙ୍କଠାରୁ ଦୂରତା ରକ୍ଷା କରନ୍ତୁ।
ବର୍ତ୍ତମାନ ଶପିଂ କରିବା ସମୟରେ ବିଭିନ୍ନ ଦିଗକୁ ଆଖିଆଗରେ ରଖି କ୍ୟାଶ୍ଲେସ୍ ବ୍ୟବସ୍ଥା ଆପଣେଇବା ସବୁଠୁ ଭଲ। ପ୍ରଥମ କଥା ହେଉଛି, କୌଣସି ଟଙ୍କା କେତେ କାହା ହାତ ଦେଇ ଆପଣଙ୍କ ପାଖକୁ ଆସିଛି ତାହା କହିବା କଷ୍ଟକର। ତେଣୁ ତାହା ରୋଗ ସଂକ୍ରମଣର ମାଧ୍ୟମ ବି ସାଜିପାରେ। ଏମିତିରେ କ୍ୟାଶ୍ଲେସ୍ ବ୍ୟବସ୍ଥା ନିରାପଦ।
Comments are closed.