କେନ୍ଦ୍ର ବିରୋଧରେ ରେଳଚାଳକ ସଂଘର ରଣହୁଙ୍କାର ଦାବି ପୁରଣ ନହେଲେ ଆଗକୁ ଦେଶବ୍ୟାପି ଆନ୍ଦୋଳନ
ଜଟଣୀ(ସଞ୍ଜୀବ କୁମାର) : କେନ୍ଦ୍ର ସରକାରଙ୍କ ରେଳ ଚାଳକମାନଙ୍କ ଉପରେ କରୁଥିବା ଅତ୍ୟାଚାର ଦିନକୁ ଦିନ ସୀମାପାର ହେବାରେ ଲାଗିଛି । ଫଳରେ ରେଳଚାଳକ ଓ ସହଚାଳକମାନେ ଦେଶବ୍ୟାପି କେନ୍ଦ୍ର ବିରୋଧରେ ରଣହୁଙ୍କାର ଦେଇଛନ୍ତି । ଏହି ମର୍ମରେ ଆଜି ଅଖିଳ ଭାରତୀୟ ରେଳଚାଳକ ସଂଘ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟମାନେ ରାଜଧାନୀ ଦିଲ୍ଲୀ ରେ ପୁର୍ବାହ୍ନ ୮ଘଂଟିକାଠାରୁ ରାତ୍ର ୮ଘଂଟିକା ପର୍ଯ୍ୟନ୍ତ ୧୨ ଘଂଟିଆ ଅନଶନ କରିଛନ୍ତି । ଏହି ପ୍ରରିପ୍ରେକ୍ଷୀରେ ଶୁକ୍ରବାର ଖୋର୍ଦ୍ଧାରୋଡ ରେଳଡିଭିଜନରେ ସର୍ବଭାରତୀୟ ରେଳଚାଳକ ସଂଘ ପକ୍ଷରୁ ଖୋର୍ଦ୍ଧା ମଣ୍ଡଳ,ପଲାସା, ଛତ୍ରପୁର,ପୁରୀ, ଭୁବନେଶ୍ୱର.ତାଳଚେର,ଯଖପୁରା,କଟକ,ଭଦ୍ରକ,ପାରାଦୀପ,କେଉଁଝର ଓ ଅନୁଗୁଳୁ ପ୍ରଭୃତିର ରେଳଚାଳକ ଓ ସହଚାଳକମାନେ ଏକ ଦିବସୀୟ ଅନଶନ କରିଥିଲେ । ଆଗାମି ଦିନରେ ଯଦି କେନ୍ଦ୍ର ସରକାର ଏହି ଦାବିଗୁଡିକୁ ପୁରଣ ନକରନ୍ତି ତେବେ ଆସୁଥିବା ସମୟରେ ରେଳଚାଳକ ସଂଘ ଏହାର ଦୃଢ ପ୍ରତିବାଦ କରିବା ସହିତ ଚକାଜାମ ଆନ୍ଦୋଳନ କରିବ ବୋଲି ଆଜି ଏକ ଦିବସୀୟ ବୈଠକରେ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ସର୍ବଭାରତୀୟ ରେଳଚାଳକ ସଂଘ ଖୋର୍ଦ୍ଧାରୋଡ ପକ୍ଷରୁ ଦାବିଗୁଡିକୁ ନେଇ ସ୍ଥାନୀୟ ରେଳପଥ ମଣ୍ଡଳ କାର୍ଯ୍ୟାଳୟ ସମୁଖରେ ଏକ ଦିବସୀୟ ଅନଶନ କରାଯାଇଛି । ରେଳବାଇ ଘରୋଇ କରଣକୁ ବନ୍ଦ କରିବା, ବିପଦ ସଂକେତ ଅତିକ୍ରମ କରୁଥିବା ରେଳଚାଳକଙ୍କୁ ଚାକିରୀରୁ ବହିଷ୍କାର ନିତି ବନ୍ଦ କରିବା, ଟ୍ରଲିବ୍ୟାଗ ହଟାଇ ରେଳଇଜିଂନରେ ମରାମତି ବାକ୍ସ ଦେବା । ରେଳଚାଳକ ମାନଙ୍କ କାର୍ଯ୍ୟସୀମା ୮ଘଂଟା ମଧ୍ୟରେ ରଖିବା, ମହିଳା ରେଳଚାଳକମାନଙ୍କଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରିବା । ରେଳଚାଳକ ସଂଘ କର୍ମକର୍ତା ଉପରେ ଆକ୍ରୋଶମୂଳକଭାବେ ଅତ୍ୟାଚାର ବନ୍ଦ କରିବା, ସାପ୍ତାହିକ ବିଶ୍ରାମକୁ ୪୬ଘଂଟା ମଧ୍ୟରେ ନିଶ୍ଚିତ କରିବା ଇତ୍ୟାଦି । ସେହିପରି ଖାଲିପଡିଥିବା ପଦବୀକୁ ପୁରଣ କରିବା, ମାଇଲେଜ ଭତାରେ ଆୟକର ଛାଡ ୧୦ହଜାର ଟଙ୍କାରୁ ୩୨ହଜାର ଟଙ୍କାକୁ ବୃଦ୍ଧି କରିବା, ରେଳଚିକିତ୍ସାଳୟକୁ ବନ୍ଦ ନକରିବା. ଇ-ପାସ ମାଧ୍ୟମରେ ଯାତ୍ରାବାହୀ ଟ୍ରେନରେ ଯିବାଲାଗି ଅନୁମତି ଦେବା, ରେଳଗାଡିର ବୃଦ୍ଧିହେବା ସହିତ ସେଥିଲାଗି ପଦବୀ ସୃଷ୍ଟି କରିବା, ପୁରାତନ ପେନସନ ବ୍ୟବସ୍ଥାକୁ ବଳବତର ରଖିବା,ରାତ୍ରୀ କାଳୀନ ଭତାର ସୀମା ପ୍ରତ୍ୟାଖ୍ୟାନ କରି ପୁନଃ ପ୍ରଚଳନ କରିବା,ବିପଦପୁର୍ଣ୍ଣ ଭାବେ ଚାଲୁଥିବା ଦୁଇଟି ମାଲଗାଡିକୁ ଯୋଡାଯାଉଥିବା ବ୍ୟବସ୍ଥାକୁ ବନ୍ଦ କରିବା, କ଼ନିଷ୍ଠ ମାଲବାହୀ ଟ୍ରେନ ଚାଳକମାନଙ୍କ ଦ୍ୱାରା ମେମୁ ଟ୍ରେନର ସଂଟିଙ୍ଗ କରାଇବା ବନ୍ଦ କରିବା ଆଦି ବିଭିନ୍ନ ଦାବି ପୁରଣ ଲାଗି ଆଜି ଏକ ଦିବସୀୟ ଅନଶନ କରାଯାଇଛି । ଉକ୍ତ ସମସ୍ତ ଦାବିଗୁଡିକୁ ଯଦି ସରକାର ପୁରଣ ନକରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ତିବ୍ରତର ହେବ ବୋଲି ସଂଘ ଚେତାବନୀ ଦେଇଛି । ଆଜିର ଏହି ଏକ ଦିବସୀୟ ଅନଶନରେ ଖୋର୍ଦ୍ଧା ଶାଖାର ମଣ୍ଡଳ ସଭାପତି ସତ୍ୟ ନାରାୟଣ ପଟ୍ଟନାୟକ, ଖୋର୍ଦ୍ଧା ଶାଖା ସଭାପତି ପ୍ରସନ୍ନ ମହାନ୍ତି,ଖୋର୍ଦ୍ଧା ଶାଖା ସଚିବ ପ୍ରଫୁଲ ଦାଶ, ମଣ୍ଡଳ କୋଷାଧ୍ୟକ୍ଷ ରାକେଶ ମହାନ୍ତି,ଅରବିନ୍ଦ ନିରାଲା,ରବି ରଂଜନ,ଗଣେଶ ପାଣିଗ୍ରାହୀ, ସଦାନନ୍ଦ ସାହୁ,ସନାତନ ସାହୁ, ଦୁର୍ଗା ଚରଣ ବେହେରା ପ୍ରମୁଖ ଏହି ଅନଶନରେ ନେତୃତ୍ୱ ନେଇଥିଲେ ।
Comments are closed.