ମଦ ଦାମକୁ ନେଇ ଏମିତି କହିଲେ ଅବକାରୀ ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ଏମଆରପିଠାରୁ ଅଧିକ ଦରରେ ବିକ୍ରି ହେଉଛି ଦେଶୀ ଓ ବିଦେଶୀ ମଦ। ବିଧାନସଭରେ ରାଜ୍ୟ ସରକାର ଏହାକୁ ସ୍ୱୀକାର କରିଛନ୍ତି। ପ୍ରଶ୍ନକାଳରେ ଏ ସମ୍ପର୍କିତ ପ୍ରଶ୍ନରେ ଅବକାରୀ ମନ୍ତ୍ରୀ ଏହା ସ୍ୱୀକାର କରିଛନ୍ତି। ମୂଳ ପ୍ରଶ୍ନକର୍ତ୍ତା ବିଧାୟକ ଅରବିନ୍ଦ ଢାଲିଙ୍କ ପ୍ରଶ୍ନରେ ଉତ୍ତର ରଖି ଅବକାରୀ ମନ୍ତ୍ରୀ ଅଶ୍ୱିନ ପାତ୍ର କହିଛନ୍ତି, ରାଜ୍ୟର ଅନେକ ସ୍ଥାନରେ ଏମଆରପିଠାରୁ ଅଧିକ ଦାମରେ ମଦ ବିକ୍ରି ହେଉଛି ।
ଅଚାନକ ପରିଦର୍ଶନ ସମୟରେ ଏଭଳି ଘଟଣା ସାମ୍ନାକୁ ଆସିଲେ ତଦନ୍ତ କରାଯାଇଥାଏ। ଅଧିକ ଦରରେ ବିକ୍ରି ଅଭିଯୋଗ ଆସିବା ମାତ୍ରେ ଜିଲ୍ଲା ସ୍ତରର ଆବଶ୍ୟକ ସ୍ତରରେ ଡିଭିଜନ ସ୍ତରରେ ତଦନ୍ତ କରାଯାଇଥାଏ। ରାଜ୍ୟସ୍ତରୀୟ ସ୍କ୍ୱାଡ ଦ୍ୱାରା ତଦନ୍ତ ହୋଇଥାଏ। ଅଭିଯୋଗ ସତ୍ୟାସତ୍ୟ ପ୍ରମାଣିତ ହେଲେ ଲାଇସେନ୍ସ ଧାରୀଙ୍କ ବିରୁଦ୍ଧରେ ସିରିୟସ ଇ-ରେଗୁଲାରିଟି ରିପୋର୍ଟ ଦାୟର ହେବା ସହ କାର୍ୟ୍ୟାନୁଷ୍ଠାନ ହୋଇଥାଏ ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।
ଏହି କ୍ରମରେ ୨୦୨୧ -୨୨ ଆର୍ଥିକ ବର୍ଷରେ ୨୯ଟି ସିରିୟସ ଇ-ରେଗୁଲାରିଟି ରିପୋର୍ଟ ଦାୟର ହୋଇଛି । ଏ ବାବଦରେ ୨୯ ଲକ୍ଷ ଟଙ୍କାର ଜରମାନା ଆଦାୟ କରାଯାଇଛି । ସେହିପରି ୨୦୨୨-୨୩ ଜୁନ ସୁଦ୍ଧା ଏମଆରପିଠାରୁ ଅଧିକ ଦାମର ଦେଶୀ ବିଦେଶୀ ମଦ ବିକ୍ରି ଅଭିଯୋଗରେ ୩୧ଟି ଏଫ୍ ଆଇ ଆର ଦାୟର ହୋଇଛି। ସେଥିମଧ୍ୟରୁ ୮ଟି ମାମଲାରେ ୮ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ବାକି ୨୩ ଟି ମାମଲା ବିଚାରାଧୀନ ରହିଛି ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ।
ଅନ୍ୟପଟେ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ ଆଜି ବିଧାନସଭାରେ ପ୍ରଶ୍ନ କରିଛନ୍ତି ଯେ, ଜନଗହଳି ଓ ମନ୍ଦିର ଠାରୁ କେତେ ଦୂରରେ ମଦ ଦୋକାନ ହେବା ଉଚିତ୍? ମଦ କିଣିଲେ ରସିଦ ଦେବାର ବ୍ୟବସ୍ଥା ଅଛି କି ବୋଲି ପ୍ରଶ୍ନକାଳରେ ବିଷ୍ଣୁ ସେଠୀ ପ୍ରଶ୍ନ କରିଥିଲେ। ଅବକାରୀ ମନ୍ତ୍ରୀ ଅଶ୍ଵିନୀ ପାତ୍ର ଏହାର ଉତ୍ତରରେ କହିଥିଲେ ଯେ, କୌଣସି ଜିନିଷ କିଣିଲେ ରସିଦ ଦେବାର ବ୍ୟବସ୍ଥା ଅଛି। ସେହିପରି ମଦ କିଣିବାରେ ମଧ୍ୟ ରସିଦ ଦେବାର ବ୍ୟବସ୍ଥା ଅଛି। ଗ୍ରାହକଙ୍କ ଉପରେ ନିର୍ଭର କରେ ସେମାନେ ରସିଦ ନେବେ କି ନାହିଁ।
Comments are closed.