ତିର୍ତ୍ତୋଲ ବିଧାୟକଙ୍କ ବଢୁଛି ଅଡୁଆ
ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପାଇଁ ବଢୁଛି ଅଡୁଆ । ବିଧାୟକଙ୍କ ବିରୁଦ୍ଧରେ ପ୍ରେମିକା ସୋମାଲିକା ଦାଶ ଆଣିଥିବା ସେକ୍ସ ରାକେଟ୍ ଅଭିଯୋଗର ତଦନ୍ତ କରିପାରେ କ୍ରାଇମବ୍ରାଞ୍ଚ । ଏଥିପାଇଁ ଜଗତସିଂହପୁର ଏସପି ଅଖିଳେଶ୍ବର ସିଂ କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜିପିଙ୍କୁ ଚିଠି ଲେଖିଛନ୍ତି । ଯାହା ବର୍ତ୍ତମାନ ବିଧାୟକ ବିଜୟ ଶଙ୍କରଙ୍କ ଅଡୁଆ ବଢାଇଛି । ବିଧାୟକଙ୍କ ପ୍ରେମ ବିବାଦ ସମୟରେ ପ୍ରେମିକା ସୋମାଲିକା ଦାଶ ତାଙ୍କ ବିରୁଦ୍ଧରେ ସେକ୍ସ ରାକେଟ ଚଳାଉଥିବାର ସାଙ୍ଘାତିକ ଅଭିଯୋଗ କରିଥିଲେ ।
ସୂଚନାଯୋଗ୍ୟ, ଜଗତସିଂହପୁର ସହର ଦେଉଳି ଗ୍ରାମେଶ୍ବର ଗ୍ରାମର ସଂଗ୍ରାମ କେଶରୀ ଦାଶଙ୍କ ଝିଅ ସୋମାଲିକା ଦାଶ ବିଜୟ ଶଙ୍କରଙ୍କ ନାମରେ ପ୍ରଥମେ ପ୍ରେମ ଓ ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ଆଣିଥିଲେ । ଏହି ଘଟଣା ପଦାକୁ ଆସିବା ପରେ ବିଜୟ ଶଙ୍କର ସ୍ଥାନୀୟ ସବରେଜିଷ୍ଟ୍ରାରଙ୍କ ନିକଟରେ ବିବାହ ପାଇଁ ଆବେଦନ କରିଥିଲେ । ଗତ ଜୁନ ୧୭ରେ ଉଭୟ ପକ୍ଷ ନିଷ୍ପତ୍ତି ଅନୁସାରେ ବିବାହ ପାଇଁ ଦିନ ସ୍ଥିର ହୋଇଥିଲା । କିନ୍ତୁ ବିବାହ ପାଇଁ ବିଧାୟକ ସବରେଜିଷ୍ଟ୍ରାର ଅଫିସକୁ ଆସିନଥିଲେ । ପରବର୍ତ୍ତୀ ସମୟରେ ୧୮ ଜୁନରେ ପ୍ରେମିକା ସୋମାଲିକା ଜଗତସିଂହପୁର ଥାନାରେ ବିଜୟଙ୍କ ନାମରେ ଏତଲା ଦେଇଥିଲେ ।ଜଗତସିଂହପୁର ପୋଲିସ ଏହି ଏତଲାକୁ ଗ୍ରହଣ କରି ମାମଲା ରୁଜୁ କରିଥିଲା । ଏହି ମାମଲାର ତଦନ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚକୁ ଜଗତସିଂହପୁର ଏସପି ଚିଠି ଲେଖିଥିବା ଜଣାପଡିଛି । ଏ ସମ୍ପର୍କରେ ପ୍ରେମିକା ସୋମାଲିକା ଦାଶ କିମ୍ବା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
Comments are closed.